ଅଠର ପୂର୍ଣ୍ଣବସନ୍ତ ଛୁଇଁ ସାରିଥିଲା ନଭ୍ୟାନଭେଲୀ । ହାତର ଆଙ୍ଗୁଠିକୁ ଛୁଇଁ ଆସୁଥିଲା ତାର ସ୍ୱପ୍ନିଳ ବର୍ଣ୍ୟାଢ଼ ଅକାଶ । ଆକାଂକ୍ଷିତ ପୃଥିବୀ ଆଡ଼କୁ ପାହୁଣ୍ଡେ ପାହୁଣ୍ଡେ ଅଗ୍ରସର ହେଉଥିଲା ତାର ଚଞ୍ଚଳ ପାଦ । ଆଉ ସେଥିରେ ଭରି ରହିଥିଲା ମଧ୍ୟ ଏକ ଆତ୍ମୀୟ ବ୍ୟାକୁଳତା। କାରଣ, ଘରର ମୁଖିଆ ଥିବା ବାପାଙ୍କ ମୁଣ୍ଡ ଉପରେ ଝୁଲି ରହିଥିଲା ଅସଂଖ୍ୟ କରଜର ବୋଝ । ସେଥିପାଇଁ ନଭ୍ୟାନଭେଲୀର ଆଖିରେ ଅର୍ଥ ଉପାର୍ଜନ ମାର୍ଗ ହିଁ ଏକ ଆଗତ ଧ୍ରୁବତାରା ପାଲଟି ବାଟ କଢ଼ାଇ ନେଉଥିଲା । ସେ ସ୍ବପ୍ନର ଆକାର କି ପ୍ରକାର ବି କିଛି କମ୍ ନଥିଲା, ପଢ଼ୁଥିଲା କମ୍ପ୍ୟୁଟର ବିଜ୍ଞାନର ସ୍ନାତକ । ଏକାଥରେ ଲକ୍ଷେ ଟଙ୍କିଆ ମାସିକ ବେତନର ଚାକିରୀ ଥିଲା ତାର ଲକ୍ଷ୍ୟ । ଯାହାକୁ ପାଖୁଡ଼ା ପାଖୁଡ଼ା କରି ବାଣ୍ଟି ଦେବାକୁ ଚାହୁଁଥିଲା ନୂଆ ଘରତୋଳାରୁ ବାପାଙ୍କ କରଜ ସୁଝା ପୁଣି ସାନଭାଇର ପଢ଼ା ଦାୟିତ୍ବରୁ ମାମା ମୁହଁରେ ହସ । ହେଲେ, ତା’ର ସେହି ନିଆରା କୋମଳ ସ୍ଵପ୍ନ ଅଟକି ଯାଇଥିଲା କାହଣୀ ପାଲଟିବା ଆଗରୁ । ଏହି ନଭେମ୍ବର ମାସ ଆରମ୍ଭକୁ ଠିକ୍ ବର୍ଷେ ପୁରୁଛି ନଭ୍ୟାନଭେଲୀର ଅକାଳ ତିରୋଧାନ। ହେଲେ ସେ ବଞ୍ଚିଥିବା ବିଗତ ସମୟର ପୃଷ୍ଠାରେ ଲାଖି ରହିଛି ମନେ ରହିବା ଅନେକ ଉଜ୍ଜ୍ୱଳ ଅକ୍ଷରର ଧାଡ଼ି ।
ଏକ ଭରପୂର ଜୀବନ ଓ ଉଚ୍ଚ ଆକାଂକ୍ଷା ପୋଷଣ କରିଥିବା ଜଣେ ଥାଲାସେମିକର କାହାଣୀଟିଏ କିପରି ଅଧାଗଢ଼ା ଗପ ପାଲଟି ରହିଯାଏ ନଭ୍ୟାନଭେଲୀ ସାହୁ ଥିଲା ଏକ ଜ୍ୱଳନ୍ତ ଉଦାହରଣ । ଫୁଲ ହୋଇ ଫୁଟିବା ଆଗରୁ ଅସମୟରେ ଝଡ଼ି ପଡ଼ିଥିବା ଏକ କଢ଼ି । ଏହି ସୁନ୍ଦର ପୃଥିବୀକୁ ଜୀବନର ମାତ୍ର ଅଠର ବର୍ଷ ବୟସରେ ହରେଇ ବସିବାଟାରେ କ’ଣ ଥିଲା ତା’ର ଭୁଲ୍ ? ଜଣେ ଥାଲାସେମିଆ ପୀଡ଼ିତ ମଣିଷକୁ କାହିଁକି ଲମ୍ବା ଜୀବନର ସ୍ବପ୍ନ ଦେଖିବା ମନା ? କାହିଁକି ନିରୀହ ଶିଶୁଟେ ଏହି ମାରାତ୍ମକ ରକ୍ତବାହି ରୋଗକୁ ଧରି ଜାତ ହୁଏ ? କାହିଁକି ପୁଣି ଜୀବନ ଓ ପୃଥିବୀକୁ ଆଂଶିକ ମାତ୍ର ବୁଝୁ ବୁଝୁ ଟଳିପଡ଼େ ଅସମୟର କୋଳରେ। । ଏହିପରି କେବଳ ଓଡ଼ିଶା ପ୍ରଦେଶ କାହିଁକି ଦେଶର ଅସଂଖ୍ୟ ନଭ୍ୟାନଭେଲୀମାନେ ସେମାନଙ୍କ ଇପ୍ସିତ ଆକାଂକ୍ଷାର ପାହାଚ ଛୁଇଁବା ଆଗରୁ ଢଳିପଡ଼ନ୍ତି ନିୟତି ଗର୍ଭକୁ । ସେହିପରି ଏକ ଦୁଃଖାନ୍ତକ ସତ କାହାଣୀର ନାୟିକା ନଭ୍ୟାନଭେଲୀ ସାହୁକୁ ନେଇ ଆମର ଏହି ସ୍ଵତନ୍ତ୍ର କାହାଣୀ ଏଠାରେ ଉପସ୍ଥାପିତ କରୁଛୁ ।
ପ୍ରସ୍ତୁତି ଓ ଉପସ୍ଥାପନା: ବିରଜା ରାଉତରାୟ ସହଯୋଗିତା: ଗୋଲାପ ରାଉତ
ରଶ୍ମିପ୍ରଭାଙ୍କ ଗର୍ଭରେ ଜନ୍ମିତ ପଛକୁ ପଛ ଦୁଇ ପୁତ୍ରର ଅକାଳ ମୃତ୍ୟୁ ପରେ ଯେତେବେଳେ ରଶ୍ମିପ୍ରଭାଙ୍କ ଗର୍ଭରୁ ଝିଅଟିଏ ଜନ୍ମ ନିଏ ତାଙ୍କ ଖୁସି କହିଲେ ନସରେ। ୨୦୦୬ ମସିହା ଫେବୃୟାରୀ ମାସ ଛଅ ତାରିଖ ଥିଲା ରଶ୍ମିପ୍ରଭାଙ୍କ ଏକ ସ୍ମରଣୀୟ ବର୍ଷ । ଆଗରୁ ମନରେ ସ୍ଥିର କରିଥାନ୍ତି ଝିଅଟିଏ ହେଲେ କ’ଣ ତାର ନାମକରଣ ରହିବ ? ସେହି ସମୟରେ ତାଙ୍କ ହାତରେ ପଡ଼ିଥିଲା ପ୍ରଜାତନ୍ତ୍ରର ସାପ୍ତାହିକ ପତ୍ରିକା, ପୃଷ୍ଠା ଖେଳାଉ ଖେଳାଉ ନଜର ପଡ଼େ ସୁପର୍ ଷ୍ଟାର୍ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତାର କନ୍ୟାସନ୍ତାନ ନାମ ଉପରେ। ‘ ନଭ୍ୟାନଭେଲୀ ‘ ସେହି ଆକର୍ଷଣୀୟ ନାମଟିକୁ ତୋଳି ମନର ସିନ୍ଦୁକରେ ସାଇତି ଦେଇଥିଲେ ନିଜର କନ୍ୟା ସନ୍ତାନ ପାଇଁ। ନାଁଟି ଯେପରି ଥିଲା ସେହିପରି ଏକ ଚମକପ୍ରଦ ଭାଗ୍ୟକୁ ଧରି ଆଗକୁ ବଢ଼ିଥିଲା ନଭ୍ୟାନଭେଲୀ । ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି, ନବମ ଶ୍ରେଣୀରେ ଏନ.ଏମ୍. ଏସ ତା ପଛକୁ ମେଟ୍ରିକରେ ଏ- ୱାନ୍ । ଏ କଣ କମ୍ ଥିଲା କି ତାର ପାରଦର୍ଶିତାର ପ୍ରଦର୍ଶନରେ । ସେଥିପାଇଁ ମହାମାନ୍ୟ ରାଜ୍ୟପାଳଙ୍କ ଦ୍ବାରା ମଧ୍ୟ ପୁରସ୍କୃତ ହୋଇଥିଲା ନଭ୍ୟା । ବିଦ୍ୟାଧନ ମେଧାବୃତ୍ତି, ପୁନର୍ବାସ ବୃତ୍ତି ପରି ଏକାଧିକ ସ୍ତରରେ ଏହିପରି ଗୁରୁତ୍ୱର ରକ୍ତଜନିତ ପ୍ରତିବନ୍ଧକତା ସତ୍ତ୍ୱେ ସେ ନିଜ ସାମର୍ଥ୍ୟର ସ୍ୱୀକୃତି ଲାଭ କରିଥିଲା । ଯୁକ୍ତ ଦୁଇ ପରେ ବିଜ୍ଞାନ ପଢ଼ିବାର ଯୋଗ୍ୟତା ଥାଇ ସୁଦ୍ଧା ସେ ବାଛିଥିଲା ପଢ଼ିବାକୁ ବି.ସି.ଏ। କାରଣ ଶୀଘ୍ର ଅର୍ଥ ଉପାର୍ଜନ ହିଁ ତାର ଅଭିଳାଷ ରହିଥିଲା ।
ମାତ୍ର ତାକୁ ଛ’ ମାସ ହୋଇଥିବା ବେଳେ ନିଜ ଜନ୍ମିତ କନ୍ୟାର ରୁଗ୍ଣ ଶରୀରରେ ଚିନ୍ତା ପ୍ରକଟ କରି ଶିଶୁବିଶେଷଜ୍ଞ ଡାକ୍ତର ନକୁଳ ସାହୁଙ୍କ ପରାମର୍ଶ ଲୋଡ଼ନ୍ତେ ତ ଏଚ୍. ପି. ଏଲ୍ . ସି . ପରୀକ୍ଷାରୁ ଜଣାପଡ଼ିଲା ସେ ଥାଲାସେମିଆ ବୋଲି । ସେହି ଦିନଠୁଁ ମାସକୁ ମାସ ନେଇ ଚାଲିଥିଲା ରକ୍ତ। ଏବେ ସେହି ରକ୍ତ ବୟସ ବଢ଼ିବା ସହ ଶେଷ ବେଳକୁ ପ୍ରତି ୮ କି ୧୦ ଦିନରେ ନେବାକୁ ପଡୁଥିଲା। ଯୋଉଟା କି ଥିଲା କେନ୍ଦ୍ରାପଡ଼ା ମହାକାଳପଡା ପରି ଏକ ଗ୍ରାମୀଣ ଅଞ୍ଚଳର ଏକ ଥାଲାସେମିକ୍ ଝିଅ ପାଇଁ କାଠିକର ପାଠ। ମାତ୍ର ବାପା ମାଆଙ୍କର ଏହି ଯୁଝି ଚାଲିଥିବା ସମସ୍ୟାଟିକୁ ଲାଘବ କରିବା ପାଇଁ ସ୍ୱୟଂ ନଭ୍ୟାର ଉଦ୍ୟମ ମଧ୍ୟ କିଛି କମ୍ ନଥିଲା। ରେଡକ୍ରସର ତାଲିକାରେ ଥିବା ରକ୍ତଦାତା ମାନଙ୍କର ନାମ ସଂଗ୍ରହ ଠାରୁ ଆରମ୍ଭକରି ଯେତକ ଚିହ୍ନା ସମ୍ପର୍କୀୟ ସ୍ଵେଚ୍ଛାସେବୀ ମାନଙ୍କ ଫୋନ୍ ନମ୍ବରକୁ ଟିପି ଭର୍ତ୍ତି କରି ରଖିଥାଏ ତା ଡାଏରୀ।ଏଥିପ୍ରତି ପ୍ରତି ପାଦକରେ ଭେଟୁଥିଲା ନାନାଦି ବାଧାବିଘ୍ନକୁ। ଦେହରେ ଜୀବନ ଧରି ରଖିବାକୁ ମାସକରେ ତିନିଥର ରକ୍ତ ଯୋଗାଡ଼ି ବସିବା ପୁଣି ଜଣେ ଗ୍ରାମାଞ୍ଚଳର ଥାଲାସେମିକ ପାଇଁ କେତେଯେ ଦୁରୂହ ବ୍ୟାପାର ତା ସହଜରେ ଅନୁମେୟ। ଏହାଛଡ଼ା ଜିଲ୍ଳାସ୍ତରୀୟ ରକ୍ତଭଣ୍ଡାରରେ ସବୁ ସମୟରେ ଭଲ ମାନର ରକ୍ତ ମହଜୁଦ୍ ରହୁନଥିବା ମଧ୍ୟ ଜିଲାସ୍ତରୀୟ ଥାଲାସେମିକ ରୋଗୀମାନଙ୍କ ପାଇଁ ଏକ ଅନ୍ୟତମ ପ୍ରଧାନ ସମସ୍ୟା ହୋଇ ଅଦ୍ୟାବଧି ରହି ଆସିଛି। ଏହାଛଡା ଖରାଦିନରେ ରକ୍ତଭଣ୍ଡାରରେ କମ୍ ରକ୍ତ ମହଜୁଦ୍ ରହୁଥିବାରୁ ପ୍ରାୟ ମାର୍ଚ୍ଚ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ଥାଲାସେମିକ୍ ମାନଙ୍କ ପାଇଁ ଏକ ଜଟିଳ ସ୍ଥିତି ସୃଷ୍ଟି କରିଥାଏ। କିନ୍ତୁ ନଭ୍ୟାନଭେଲୀଙ୍କ ମାମାଙ୍କ ଭାଷାରେ ” ମଲା ପୁଅ ମଧୁସୂଦନ ” ପରି ଥିଲା ତାଙ୍କ ଝିଅ। ନିଜେ ହିଁ ଏହି ଖରାଦିନିଆ ରକ୍ତ ତିରୋଟ କାଳରେ ପଛକୁ ପଛ ସଜାଡ଼ି ଯୋଗାଡି ଥାଏ। ଏପରିକି ଯେଉଁ ଦିନ ତାର ପ୍ରାଣବାୟୁ ଗତ ହେଲା ସେହି ଦିନ ମଧ୍ୟ ଥିଲା ତା ଜୀବନ କ୍ୟାଲେଣ୍ଡରର ଇନ୍ଧନ ପରି ଏକ ରକ୍ତ ଗ୍ରହଣର ଦିନ ।
ବିଚ୍ଛୁରିତ ହସ ପରି ନଭ୍ୟାନଭେଲୀର ଯେତକ ସ୍ୱପ୍ନ !
” ତାର ତ ରହିଥିଲା ଅସଂଖ୍ୟ ସ୍ୱପ୍ନ। ଲକ୍ଷେ ଟଙ୍କିଆ ଚାକିରୀ। ଭଲ ଘରଖଣ୍ଡେ। ସାତବର୍ଷର ସାନଭାଇ ପାଇଁ ଭଲ ଶିକ୍ଷା। ମାମାର ଅଧା ରହିଯାଇଥିବା ଇଚ୍ଛା। ପୁଣି ମନ ପସନ୍ଦର ରେଷ୍ଟୁରାଣ୍ଟଟିଏ ଖୋଲିବା, ଏହିପରି କେତେକ। ଦେଖି ବସିଲେ ଏ ଘରର ଯୁଆଡ଼କୁ ଚାହିଁଲେ ଇତସ୍ତତଃ ସବୁଠି ତାର ଛୋଟ ଛୋଟ ସ୍ୱପ୍ନ ସବୁକୁ ଛୁଇଁ ହୋଇଯାଏ। ନିଜ ସ୍କଲାରସିପ ପଇସାରୁ “ମିଶୋ ” ରେ ମାମା ପାଇଁ ବରାଦ କରିଥିବା ଶାଢ଼ୀ, ବ୍ୟାଗ୍, ସାନଭାଇ ପାଇଁ ଜୋତା , ସାର୍ଟ ଏହିପରି କିଛି ନା କିଛି ଘରସାରା ଯେଉଁଠି ଦେଖିଲେ ତାର ସ୍ୱପ୍ନର ଛୋଟ ଛୋଟ ପାଦ ଚିହ୍ନ ଖେଳାଇ ହୋଇ ପଡ଼ିଥିଲା ।
ଏକ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନର ବ୍ୟବସ୍ଥା ହୋଇପାରିଲେ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ସବୁଠି ରକ୍ତ ସଂଗ୍ରହ ସମ୍ଭବପର ହୋଇପାରିବ ।
ଡାକ୍ତର ମାନସ କୁମାର ଜେନା
ଭାରପ୍ରାପ୍ତ ଅଧିକାରୀ, ରକ୍ତଭଣ୍ଡାର , ଜିଲ୍ଲା ମୁଖ୍ୟଚିକିତ୍ସାଳୟ, କେନ୍ଦ୍ରାପଡ଼ା
ସହରାଞ୍ଚଳରେ ଥାଲାସେମିଆ ପୀଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ରକ୍ତର ଉପଲବ୍ଧତା ଯେତେବଡ ସମସ୍ୟା ନୁହେଁ ଗ୍ରାମାଞ୍ଚଳରେ ଏହାର ନିୟନ୍ତ୍ରଣ ଓ ରକ୍ତ ଗ୍ରହଣ କରୁଥିବା ଥାଲାସେମିଆ ମାନଙ୍କ ରକ୍ତ ଗ୍ରହଣ ସଂକ୍ରାନ୍ତୀୟ ସୁବ୍ୟବସ୍ଥା ଓ ପରିଚାଳନା ଅଦ୍ୟାବଧି ଏକ ଆହ୍ୱାନ ରୂପେ ପ୍ରତିଭାତ ହୁଏ। ବିଶେଷ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ପରିଚାଳିତ ରକ୍ତଭଣ୍ଡାର ଏ ଦିଗରେ ଅଧିକ ସମ୍ବେଦନଶୀଳ, ସମୁନ୍ନତ ଏବଂ ସୁପରିଚାଳିତ ହେବା ଆବଶ୍ୟକ ବୋଲି କୁହନ୍ତି କେନ୍ଦ୍ରାପଡ଼ାରେ ଜିଲ୍ଲା ରକ୍ତଭଣ୍ଡାରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମାନସ କୁମାର ଜେନା। ନଭ୍ୟାନଭେଲୀ ପରି ଜଣେ ମେଧାବୀ ଥାଲାସେମିଆ ଛାତ୍ରୀର ଅସମୟରେ ମୃତ୍ୟୁ ପ୍ରସଙ୍ଗ ଉପରେ ନିଜର ମତ ରଖି କୁହନ୍ତି –
ଯେଉଁମାନେ ବିବାହ କରିବାକୁ ଯାଉଛନ୍ତି (ଉଭୟ ପୁଅ ଏବଂ ଝିଅ), ସେମାନଙ୍କର ବିବାହ ପୂର୍ବରୁ ଥାଲାସେମିଆ ଜିନ୍ ଅଛି କି ନାହିଁ ଜାଣିବା ପାଇଁ ସ୍କ୍ରିନିଂ କରାଯିବା ଅତି ଜରୁରୀ । ତେବେ ଥାଲାସେମିଆ ସହିତ ଅନ୍ୟାନ୍ୟ ଅସଂକ୍ରାମକ ରୋଗ (ଯଥା- ଡାଇବେଟିସ୍, ବି.ପି.) ପାଇଁ ମଧ୍ୟ ସ୍କ୍ରିନିଂ ଜରୁରୀ ।
ଗ୍ରାମାଞ୍ଚଳରେ ଏହାର ସଚେତନତା ନାହିଁ । ଏହି ପରୀକ୍ଷା ବହୁତ ବ୍ୟୟବହୁଳ ଏବଂ ଏହାର ସୁବିଧା ସବୁ ସ୍ଥାନରେ କିମ୍ବା ଜିଲ୍ଲା ସ୍ତରରେ ନାହିଁ । ଏହା କେବଳ କଟକ, ବ୍ରହ୍ମପୁର ଏବଂ ଭୁବନେଶ୍ୱରର କିଛି ନିର୍ଦ୍ଦିଷ୍ଟ ମେଡିକାଲ କଲେଜ କିମ୍ବା ଲାବୋରେଟୋରୀରେ ଉପଲବ୍ଧ ଅଛି ।
ମୋର ଜଣେ ସାଙ୍ଗ,ଚନ୍ଦନ ଦାସ । (ଯିଏ ମୋଠାରୁ ୩-୪ ବର୍ଷ ବଡ଼) ଏବଂ ସେ ଜଣେ ଲେକଚରର୍ ଥିଲେ । ତାଙ୍କ ପାଖରେ ପଇସା ଥିବାରୁ ସେ ୫୩-୫୪ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିଥିଲେ । ସେ ଜଣେ ପ୍ରଖ୍ୟାତ ଲେଖକ ଥିଲେ ଏବଂ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବହୁତ ବକ୍ତବ୍ୟ ( Talk )ଦେଇଛନ୍ତି । ମେଡିକାଲ କଲେଜରେ ମେଟ୍ରିକ୍ ପଢ଼ିବା ସମୟରୁ ସେ କୁଇଜ୍ ମାଷ୍ଟର ହୋଇ ମେଡିକାଲ ପିଲାଙ୍କୁ କୁଇଜ୍ କରାଉଥିଲେ । ସେ ଜଣେ ଇଂରାଜୀ ଲେକଚରର୍ ଥିବା ସହ ତାଙ୍କର ପ୍ରଚୁର ଜ୍ଞାନ ଥିଲା,କିନ୍ତୁ ସେ ୫୪ ବର୍ଷ ବୟସରେ ଚାଲିଗଲେ । ସେ ଥିଲେ ଘରର ଏକମାତ୍ର ପୁଅ ।
ଥାଲାସେମିଆ ରୋଗୀମାନଙ୍କ ପାଇଁ ହିଁ ଆମେ ବ୍ଲଡ଼ କଲେକ୍ସନ କରୁଛୁ । ସେଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ସେମାନଙ୍କ ସଂଖ୍ୟା ଦିନକୁ ଦିନ କମି କମି ଚାଲିଛି । ବର୍ତ୍ତମାନ ୮୫ରୁ ୯୦ ଭିତରେ ଅଛନ୍ତି । ଦିନ ଥିଲା ୧୫୦ ପାଖାପାଖି ଥିଲେ । ରୋଗୀମାନଙ୍କ ପାଇଁ ଆଇରନ୍ ଓଭରଲୋଡ୍ ସମସ୍ୟା ଦେଖାଯାଏ । ଲିକୋଫିଲ୍ଟର୍ସ ଏବଂ ଜରୁରୀ ଔଷଧ ଦିଆଯାଉଛି । ତଥାପି ବେଳେବେଳେ ମେଡ଼ିସିନ ପାଉ ନାହାଁନ୍ତି । ସେମାନଙ୍କ ପାଇଁ ସବୁବେଳେ ମେଡ଼ିସିନ ଷ୍ଟକ୍ ରହିବା ଦରକାର । ଯାହାକି ସବୁବେଳେ ସହଜରେ ମିଳେନାହିଁ । ଏହାଛଡ଼ା ରୋଗୀମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ (ଘରୋଇ ଭିତ୍ତିକ ଖାଦ୍ୟ) ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । କିନ୍ତୁ ଆମେ ଚାହିଁବା, ଥାଲାସେମିଆ ରୋଗୀଙ୍କ ସଂଖ୍ୟା ଆଗକୁ ନ ବଢୁ । ତେଣୁ ସରକାରୀ ସ୍ତରରେ ସ୍କ୍ରିନିଂ ପଦ୍ଧତିକୁ ଅଧିକ ତ୍ୱରାନ୍ୱିତ ଏବଂ ବ୍ୟାପକ କରିବାକୁ ପଡ଼ିବ । ଆଉ ଯେଉଁମାନେ ଅଛନ୍ତି,ସେମାନଙ୍କୁ ପାଞ୍ଚ ବର୍ଷ ହେବାପରେ ରକ୍ତ ଦେଉଛୁ,ତା’ଠାରୁ ଛୋଟ ପିଲାଙ୍କୁ ଦିଆଯାଇପାରିବ ନାହିଁ । କିଏ କେତେ ପରିମାଣରେ ନେବେ,ତାହା ବଡ଼ ହେବାପରେ ଜଣାପଡେ । ପୁଣି ଏ ପର୍ଯ୍ୟନ୍ତ ବ୍ଲଡ଼ ବ୍ୟାଙ୍କ ପୁରୁଣା ମେଡିକାଲରେ ଅଛି,ନୂଆ ମେଡିକାଲକୁ ଯାଇ ପାରୁନାହିଁ ।
ଥାଲାସେମିଆ ରୋଗୀମାନଙ୍କୁ ନିୟମିତ ରକ୍ତ ଆବଶ୍ୟକ ହୋଇଥାଏ । ଗ୍ରାମାଞ୍ଚଳରେ ରକ୍ତର ସଙ୍କଟ ଦେଖାଦେଲେ ବହୁ ଅସୁବିଧା ହୁଏ । ଗ୍ରୀଷ୍ମଋତୁରେ କିମ୍ବା ପ୍ରସବ ସମୟରେ ଅଧିକ ରକ୍ତର ଆବଶ୍ୟକତା ପଡ଼ିଥାଏ । ତେଣୁ ସେହି ସମୟରେ ରକ୍ତ ମିଳିବା କଷ୍ଟକର ହୋଇପଡ଼େ । ଥାଲାସେମିଆ ରୋଗୀ ପୁଣି ରାତି ଅଧରେ ଡେଲିଭରି କେସ ପାଇଁ ଦୁଇଟା ତିନିଟା ବ୍ଲଡ଼୍ ଦରକାର ପଡୁଛି । କଟକ ମେଡିକାଲରୁ ଏଜେଣ୍ଟ ଆମ କେନ୍ଦ୍ରାପଡ଼ାରୁ ନେଇ ଯାଉଛନ୍ତି,ବେଳେବେଳେ ରାଜନୈତିକ ଚାପ ଯୋଗୁଁ ଏଠି ରକ୍ତଭଣ୍ଡାରରୁ ରକ୍ତ ଖାଲି ହେଉଛି । କିନ୍ତୁ ଆମ ବ୍ଲଡ଼ବ୍ୟାଙ୍କକୁ ସେତିକି ରକ୍ତ ଆସୁନାହିଁ।
୫ବର୍ଷରୁ ଅଧିକ ଏବଂ କମ୍ ବୟସର ପିଲାମାନଙ୍କ ପାଇଁ ସଠିକ୍ ଯତ୍ନ ଓ ବ୍ୟବସ୍ଥା ରହିବା ଆବଶ୍ୟକ ।
ଲାସେମିଆ,ହେମୋଫେଲିଆ,ସିକିଲସେଲ୍ ରୋଗୀଙ୍କ ଖାଇବା,ପିଇବା ଓ ଜୀବନଶୈଳୀକୁ ବୁଝାଇବା ପାଇଁ ଗୋଟିଏ ସେଲ୍ ବା କକ୍ଷ ମେଡିକାଲରେ ରହିବା ଦରକାର। ସ୍ୱାସ୍ଥ୍ୟ ବିଭାଗରେ ଷ୍ଟାଫ୍ ଏବଂ ଲାବୋରେଟୋରୀ ଟେକ୍ନିସିଆନ୍ଙ୍କ ଅଭାବ ରହିଛି, ଯାହାକୁ ପୂରଣ କରିବାକୁ ପଡ଼ିବ । ଲୋକଙ୍କୁ ସଚେତନ କରିବା ପାଇଁ କାଉନସେଲର୍ ଏବଂ ଲିଫ୍ଲେଟ୍ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଉଚିତ୍ । ଏମ୍.ପି. କିମ୍ବା ଏମ୍.ଏଲ୍.ଏ. ମାନଙ୍କ ପାଣ୍ଠି ଜରିଆରେ ଏକ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନର ବ୍ୟବସ୍ଥା ହୋଇପାରିଲେ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ସବୁଠି ରକ୍ତ ସଂଗ୍ରହ ସମ୍ଭବପର ହୋଇପାରିବ। ମାତ୍ର ଏହି ପ୍ରସ୍ତାବକୁ ସେପରି କିଛି ଗୁରୁତ୍ୱ ଦେଉନଥିବାର ମନେ ହୁଏ।
ସ୍ଥ୍ୟଗତ ଭିତ୍ତିଭୂମି ଓ ଷ୍ଟାଫ୍ ସମସ୍ୟାକୁ ଦୂରକରା ଗଲେ ଥାଲାସେମିଆ ରୋଗୀ ମାନଙ୍କୁ ଅଧିକ ପ୍ରଭାବୀ ସେବା ଯୋଗାଇ ଦେଇ ହେବ। ବାହାଘର ଆଗରୁ ଜାତକ ପକେଇ ଗଣନା କରି ବାହାଘର କରାଯାଉଛି,ଏଥିରେ ଅସୁବିଧା ନାହିଁ ।
ହେଲେ ପ୍ରଥମେ ଉଭୟ ପୁଅ ଓ ଝିଅଙ୍କର ସ୍କ୍ରିନିଂ ଜରୁରୀ ।
ଓଜନରେ ମାତ୍ର ୧୮ କି ୨୦ କେଜି ହେଲେ ମନ ଓ ଜ୍ଞାନରେ ଯଥେଷ୍ଟ ଭାରି ଥିଲା ନଭ୍ୟାନଭେଲୀ
ଶ୍ରୀଧର ଭୋଳ
ବ୍ଲକ ସମ୍ବଳ ଶିକ୍ଷକ, ମହାକାଳପଡା, କେନ୍ଦ୍ରାପଡ଼ା
ଜଣେ ସମ୍ବଳ ଶିକ୍ଷକ ଭାବେ ଗ୍ରାମାଞ୍ଚଳର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସିବାକୁ ପଡ଼ିଥାଏ ।
ନଭ୍ୟାନଭେଲୀ ପରି ଜଣେ ଥାଲାସେମିଆ ଛାତ୍ରୀ ଅନେକ ଦୃଷ୍ଟିରୁ ଏହି ସମ୍ୱଳ ଶିକ୍ଷକ ଜଣକଙ୍କ ସ୍ମୃତିରେ ତଥାପି ଅଭୁଲା ଚରିତ୍ର ପରି ଲାଖି ରହି ଯାଆନ୍ତି ।
ଓଜନ ଦୃଷ୍ଟିରୁ ଯଦିଓ ନଭ୍ୟାନଭେଲୀ ମାତ୍ର ୧୮ ରୁ ୨୦ କେଜି ରହିଥିଲା କିନ୍ତୁ ମନ ଓ ଜ୍ଞାନରେ ଥିଲା ଯଥେଷ୍ଟ ଭାରି। ମେଟ୍ରିକ୍ ରେ ୯୨ ପ୍ରତିଶତ ନମ୍ବର ରଖିଥିଲା। ମୁଁ ବହୁତ ଥାଲାସେମିଆ ପିଲାଙ୍କୁ ଜାଣିଛି ଇଏ କିନ୍ତୁ ଥିଲା ଟିକେ ନିଆରା ରକ୍ତ ନେଲାବେଳେ ବି ଗୋଟିଏ ହାତରେ ବହି ଧରି ପଢୁଥିବ। ସେ ବହୁତ ପରିଶ୍ରମୀ ପିଲା। ମାର୍ଜିତ, ତା’ ଅକ୍ଷରଗୁଡ଼ିକ ପୁରା ଟାଇପ୍ କଲାଭଳି ଲେଖୁଥିଲା ।
ମୁଁ ଜଣେ ସମ୍ବଳ ଶିକ୍ଷକହୋଇଥିବାରୁ ଦିବ୍ୟାଙ୍ଗ ପିଲାଙ୍କ ସଂସ୍ପର୍ଶରେ ଆସିବା ସ୍ୱାଭାବିକ। ଏହିପରି ଥାଲାସେମିକ ପିଲାଙ୍କ ଆବଶ୍ୟକତା ଓ ଅନ୍ୟ ରୋଗୀଙ୍କ ଆବଶ୍ୟକତାକୁ ଦେଖି ଅଦ୍ୟାବଧି ୨୧ ଥର ରକ୍ତ ଦେଇସାରିଲିଣି। ଦୁଃଖ ଲାଗେ ଏତିକି ନଭ୍ୟାନଭେଲୀ ପରି ଯେଉଁ ମେଧାବୀ ଥାଲାସେମିଆ ପିଲାମାନଙ୍କୁ ରକ୍ତ ଦେଇଛି ସେମାନେ କେହି ବେଶୀ ଦିନ ବଞ୍ଚି ପାରିଲେ ନାହିଁ। ଏହିପରି ପିଲା ମାନଙ୍କ ଗରିବ ବାପା ମା ମାନେ ମଧ୍ୟ ନିଜ ଅସୁସ୍ଥ ଛୁଆକୁ ମାସକୁ ଦୁଇ/ତିନିଥର ରକ୍ତ ଦେବାକୁ ଆସି ଆର୍ଥିକ ଖର୍ଚ୍ଚାନ୍ତ ହେବା ସହ ହତୋତ୍ସାହିତ ହୋଇ ପଡ଼ିଥାନ୍ତି। ଏମାନଙ୍କର ଭବିଷ୍ୟତ ଜାଣି ଓ ଅନ୍ୟ ମାନଙ୍କ ଠାରୁ କେଉଁ ଥାଲାସେମିଆ ପିଲାର ବିୟୋଗ ଖବର ୟାଙ୍କ ହତୋତ୍ସାହକୁ ଦ୍ୱିଗୁଣ କରିଥାଏ। ସେହି ଦୃଷ୍ଟିରୁ ଏମାନେ ପାଉଥିବା ଆର୍ଥିକ ପ୍ରୋତ୍ସାହନ ସରକାର ଯଦି ବଢ଼ାଇ ପାରନ୍ତେ, ତାହା ଏକ ପ୍ରକାର ସାନ୍ତ୍ୱନାପ୍ରଦ ହେବ ବୋଲି ମୁଁ ଆଶା କରୁଛି ।
ଯେଉଁ ବାପା ମା’ ବହୁତ କଷ୍ଟ କରିକି ଅଠର ବର୍ଷ,ସତର ବର୍ଷ, କୋଡ଼ିଏ ବର୍ଷ କି ବାଇଶି ବର୍ଷ ପର୍ଯ୍ୟନ୍ତ ପାଳୁଛନ୍ତି,ତାଙ୍କର ସ୍ବପ୍ନ ବି ଅଧୁରା ହେଇକି ରହି ଯାଉଛି ।
ନିରାକାର ପଣ୍ଡା
ସଭାପତି ଓଡ଼ିଶା ଥାଲାସେମିଆ ଓ ସିକିଲ୍ ସେଲ୍ ସୋସାଇଟ, ଭୁବନେଶ୍ୱର
ଓଡ଼ିଶା ଥାଲାସେମିଆ ଓ ସିକିଲ ସେଲ୍ ସୋସାଇଟର ସଭାପତି ରୂପେ ନଭ୍ୟାନଭେଲୀ ପରି ଅସଂଖ୍ୟ ନିରୀହ ପିଲା ମାନଙ୍କର ମୃତ୍ୟୁର କାହାଣୀ ପ୍ରତ୍ୟେକ୍ଷ କରି ଆସୁଥିବା ନିରାକାର ପଣ୍ଡା, ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ଏ ଦିଗରେ ଉନ୍ନତ ସୁବିଧା ଯୋଗାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ଏହି ରକ୍ତଜନିତ ରୋଗୀ ମାନଙ୍କର ବହୁବିଧ ଦୁର୍ଦ୍ଦଶାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି। ତାଙ୍କର ଅଭିଜ୍ଞତା ସମ୍ବଳିତ ମତାମତ ରଖି ସେ କୁହନ୍ତି –
ଜିଲ୍ଲା ସ୍ତରରେ ଥାଲାସେମିଆ ପିଲାମାନଙ୍କୁ ଚିହ୍ନଟ କରି ଯେମିତି ତାଙ୍କୁ ସରକାରୀ ସ୍ତରରେ ସାହାଯ୍ୟ ସେବା ଯୋଗାଇବା କଥା, ସେତିକି ହେଇ ପାରୁନାହିଁ । ଆମର ପ୍ରତ୍ୟେକ ଜିଲ୍ଲାର ଯେଉଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଛି,ସେଥିରେ ରକ୍ତ ସଂଚାରଣ ବା ଆଇରନ୍ ନିଷ୍କାସନ ଔଷଧର ବ୍ୟବସ୍ଥା କରାଯାଇନି । ଥାଲାସେମିଆ ପିଲାଙ୍କର ରକ୍ତରୁ ଆଇରନ୍ ବାହାରି ପାରୁନି,ପିଲାମାନେ ସଠିକ୍ ଧରଣର ରକ୍ତ ନେଇ ପାରୁନାହାଁନ୍ତି । ସେଥିପାଇଁ ଅକାଳରେ ସେମାନଙ୍କର ମୃତ୍ୟୁ ଘଟୁଛି । ଇନ୍ଫେକ୍ଟେଟେଡ଼ ବ୍ଲଡ୍ ନେଉଛନ୍ତି ଏବଂ ମେଡ଼ିସିନ ଭଲରେ ନ ପାଇବାରୁ ଆଇରନ୍ ଡିପୋଜିସନ୍ ଯୋଗୁଁ ହାର୍ଟ ଆଟାର୍କ ବା ଲିଭର୍ ଫେଲ୍ୱର୍ ହେଉଛି । ତେଣୁ ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ସାଧାରଣତଃ ଯେତେ ଭଲ ମେଧାବୀ ଛାତ୍ର ଛାତ୍ରୀ ହେଲେ ବି ଯଦି ଜଣେ ବଞ୍ଚି ନ ପାରିବ,ତେବେ ଜୀବନର ଲକ୍ଷ୍ୟକୁ କେମିତି ସେ ପୂରଣ କରିବ ??
ପ୍ରତିବର୍ଷ ଅନେକ ଥାଲାସେମିଆ ଶିଶୁ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି ଓ ସେମାନଙ୍କର ଅକାଳ ବିୟୋଗ ଘଟୁଛି । ଏହାକୁ ପରିବର୍ତ୍ତନ କରାଯାଇପାରିବ । ଯଦି ଆମେ ସଚେତନତା ଶିବିର ସବୁ ସୃଷ୍ଟି କରିପାରିବା ପ୍ରତ୍ୟେକ ଜିଲ୍ଲା ସ୍ତରରେ ଗାଁ’ ଗଣ୍ଡାରେ। ମୁଖ୍ୟ ଚିକିତ୍ସାଳୟରେ ଔଷଧର କ୍ୱାଲିଟି ଓ କ୍ଵାଣ୍ଟିଟି, ରକ୍ତର ବ୍ୟବସ୍ଥା କରାଯାଇ ପାରିବ ସେମାନଙ୍କର ସଂଚାରଣ ପାଇଁ । ତେବେ ଏଇ ପିଲାମାନଙ୍କର ଜୀବନର ସୀମା ବୃଦ୍ଧି ହେଇ ପାରିବ ଏବଂ ବିଭିନ୍ନ କ୍ଷେତ୍ରରେ ବହୁତ ଭଲ କାମ କରି ପାରିବେ । ଆଉ ଯେଉଁ ବାପା ମା’ ବହୁତ କଷ୍ଟ କରିକି ଅଠର ବର୍ଷ,ସତର ବର୍ଷ,କୋଡ଼ିଏ ବର୍ଷ କି ବାଇଶି ବର୍ଷ ପର୍ଯ୍ୟନ୍ତ ପାଳୁଛନ୍ତି,ତାଙ୍କର ସ୍ବପ୍ନ ବି ଅଧୁରା ହେଇକି ରହି ଯାଉଛି । କିନ୍ତୁ ଥାଲାସେମିଆ ପିଲାକୁ ପାଳିବା ପାଇଁ ବହୁତ ଅର୍ଥର ଆବଶ୍ୟକତା ଅଛି । ଏସବୁ ଚିକିତ୍ସା ସେବା, ଅର୍ଥର ଆବଶ୍ୟକତା ପ୍ରତ୍ୟେକ ଜିଲ୍ଲାରେ ସରକାରଙ୍କ ଦ୍ୱାରା ଯଦି କରାଯାଇ ପାରନ୍ତା,ତେବେ ପ୍ରତ୍ୟେକ ଚିକିତ୍ସାଳୟରେ ଏହି ସବୁ ସୁବିଧା ରହିବା ଦରକାର । ଆଜି ପର୍ଯ୍ୟନ୍ତ ଏସବୁ ସୁବିଧା ସେହି ପିଲାଙ୍କ ପାଖରେ ଅପହଞ୍ଚ । ତେଣୁ ଏମିତି ଅଘଟଣ ଘଟୁଛି ଏବଂ ଆମ ଥାଲାସେମିଆ ଶିଶୁମାନେ ଅକାଳରେ ତାଙ୍କର ଜୀବନ ହରାଉଛନ୍ତି ।


