® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

୧୯୯୫ ଭିନ୍ନକ୍ଷମ ଆଇନକୁ ଅପସାରଣ କରି ୨୦୧୬ ମସିହା ଡିସେମ୍ବର ମାସ ୨୭ ତାରିଖ, ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ଅନୁମୋଦିତ ହୋଇ ନୂତନ ଭିନ୍ନକ୍ଷମ ଅଧିକାର ଆଇନ The Rights of Persons with Disabilities Act, 2016ର ପ୍ରଣୟନ ହୋଇଥିଲା । ପୂର୍ବୋକ୍ତ ଆଇନର କଲ୍ୟାଣମୂଳକ ଦୃଷ୍ଟି ବଦଳରେ ହକ୍ ବା ଅଧିକାରରୂପୀ ଏହି ନୂତନ ଦିବ୍ୟାଙ୍ଗ ଆଇନ ଭାରତର ୨୦୧୧ ଜନଗଣନା ଅନୁଯାୟୀ ପାଖାପାଖି ସମୁଦାୟ ଜନସଂଖ୍ୟାର ୩ ପ୍ରତିଶତ ଲୋକଙ୍କ ନିମନ୍ତେ ଏକ ଆଶାର ଆଲୋକ ରେଖା ପରି ପ୍ରତୀୟମାନ ହୋଇଥିଲା । ଏହି ଆଇନ ଭିନ୍ନକ୍ଷମତାର ପୂର୍ବୋକ୍ତ ୭ ପ୍ରକାରକୁ ୨୧ ପ୍ରକାରକୁ ବୃଦ୍ଧି କରିଥିଲା । ଆଗକୁ ୨୦୨୭ ମସିହାର ଜନଗଣନାରେ ଦିବ୍ୟାଙ୍ଗଙ୍କ ସଂଖ୍ୟା ଦେଶର ସମୁଦାୟ ଜନସଂଖ୍ୟାର ୧୦ପ୍ରତିଶତରୁ ଅଧିକ ରହିବ ବୋଲି ବିଭିନ୍ନ ଆକଳନରୁ ଅନୁମିତ ହୁଏ ।

ଏହି ନୂତନ ଶକ୍ତିଶାଳୀ ଆଇନ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଆଇନ ସମ୍ମତ ସମ୍ବିଳିତ ସମାଜର ସକାର ରୂପକୁ ଯେତିକି ସୂଚିତ କରିଥାଏ ସେତିକି ମଧ୍ୟ ସେହି ବ୍ୟକ୍ତିବିଶେଷର ସମାଜରେ ପୂର୍ଣ୍ଣାଙ୍ଗ ଅଂଶଗ୍ରହଣର ସମସ୍ତ ସୁଯୋଗକୁ ସୁନିଶ୍ଚିତ କରାଇଥାଏ । ଶିକ୍ଷାଠାରୁ ଆରମ୍ଭ କରି ନ୍ୟାୟିକ ବ୍ୟବସ୍ଥା ପର୍ଯ୍ୟନ୍ତ ବହୁବିଧ ଏବଂ ବହୁମୁଖୀ ବିଭାଗ ଓ ପର୍ଯ୍ୟାୟରେ ସମାନତା, ସୁଯୋଗ, ଅଧିକାର ଓ ସରଂକ୍ଷଣର ପ୍ରବଧାନ ମାଧ୍ୟମରେ ଏକ ସମ୍ଭିଧାନ ସ୍ଵୀକୃତ ସମାବେଶୀ ସମାଜର ବାସ୍ତବାୟନ ଏହାର ଲକ୍ଷ୍ୟ ଓ ଆଭିମୁଖ୍ୟ । ଇତି ମଧ୍ୟରେ ଏହି ଆଇନ ପ୍ରଣୟନର ଏକ ଦଶନ୍ଧିର ସୀମାକୁ ଆମେ ଛୁଇଁବାକୁ ବସିଛୁ । ଏହା କେତେ ଆଶା ସଂଚାର କରି ପାରିଛି ଓ କେତେ ନିରାଶାର ଦିଗ ତଥାପି ଆଲୋକିତ ହୋଇପାରି ନାହିଁ, ଏହିପରି ଗୁରୁତର ପ୍ରସଙ୍ଗକୁ ନେଇ “ପୁନର୍ବାସ ସମାଚାର”ର ଚଳିତ କଭର ଷ୍ଟୋରୀ ଏଠାରେ ଉପସ୍ଥାପିତ କରୁଛୁ । ଯେଉଁଥିରେ ଅଧିକାରୀଙ୍କ ଠାରୁ ଆରମ୍ଭକରି ଦିବ୍ୟାଙ୍ଗ ଅଧିକାର କର୍ମୀଙ୍କ ପର୍ଯ୍ୟନ୍ତ ବ୍ୟକ୍ତି ବିଶେଷମାନେ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି । ଏହା ବ୍ୟତୀତ, ଏହି କ୍ଷେତ୍ରରେ କାର୍ଯ୍ୟରତ ଅଭିଜ୍ଞ ବିଶାରଦ, ଗବେଷକ, ସାମାଜିକ କର୍ମୀ ଏବଂ ପ୍ରାକ୍ତନ ଭିନ୍ନକ୍ଷମ ଆୟୁକ୍ତ ନିଜ ନିଜର ଦୃଷ୍ଟିକୋଣ ସମ୍ବିଳିତ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଲିଖିତ ମୂଲ୍ୟବାନ ଅଲେଖ୍ୟଗୁଡିକ ମଧ୍ୟ ଏଥିରେ ସନ୍ନିବେଶିତ କରାଯାଇଛି ।

ସନ୍ୟାସ କୁମାର ବେହେରା, ଉପ ଶାସନ ସଚିବ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ, ଓଡିଶା ସରକାର

ସନ୍ୟାସ କୁମାର ବେହେରା

ଉପ ଶାସନ ସଚିବ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ, ଓଡିଶା ସରକାର

ଆରପିଡବଲ୍ୟୁ ଆକ୍ଟର ଦଶ ବର୍ଷ ପୂର୍ତ୍ତି ଅବସରରେ ଜଣେ ସରକାରୀ ପ୍ରତିନିଧି ଭାବେ ଆପଣଙ୍କ ଉପଲବ୍ଧି କ’ଣ ?

ଭିନ୍ନକ୍ଷମ ଅଧିକାର ଅଧିନିୟନ -୨୦୧୬ ର ଦଶ ବର୍ଷ ପୂର୍ତ୍ତିରେ ଆମେ ଓଡ଼ିଶା ବିକାଶ କ୍ଷେତ୍ରରେ ଆମର ରାଜ୍ୟରେ ଜଣେ ପୂର୍ଣ୍ଣକାଳୀନ ସ୍ୱାଧୀନ ଭିନ୍ନକ୍ଷମ କମିଶନର ନିଯୁକ୍ତ କରି ପାରିଛୁ । ଯିଏ କି ଭିନ୍ନକ୍ଷମମାନଙ୍କର ସମସ୍ତ ଅଭିଯୋଗ ଶୁଣାଣି କରିବାର ଦାୟିତ୍ୱରେ ଅଛନ୍ତି ।

ଦ୍ୱିତୀୟତଃ, ଆମେ ଭିନ୍ନକ୍ଷମ ବିଭାଗ ପକ୍ଷରୁ ୨୫/୦୨/୨୦୨୧ ରିଖରେ ସରକାରଙ୍କ ପ୍ରଶାସନିକ ବିଭାଗରେ ପ୍ରତ୍ୟେକ୍ଷ ନିଯୁକ୍ତି କ୍ଷେତ୍ରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ୪% ସରଂକ୍ଷଣ ଦେବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି ।

ତୃତୀୟତଃ, ଓଡିଶାରେ ସାମାଜିକ ସୁରକ୍ଷା ପାଇଁ ୮୦% ରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମାସକୁ ୩୫୦୦ ଟଙ୍କା ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଉଛି ।

ଚତୁର୍ଥ, କଥା ହେଉଛି କି ଓଡିଶାରେ ୧୦୯ଗୋଟି ଥେରାପି କେନ୍ଦ୍ର ଓ ଡିଜାବିଲିଟି ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏଥିରେ ମାଗଣାରେ ଫିଜିଓଥେରାପି, ସ୍ପିଚ୍ ଥେରାପି, ଅକ୍ୟୁପେଶନାଲ୍ ଥେରାପି ପରି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବ୍ୟକ୍ତିବିଶେଷମାନଙ୍କୁ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ୨୦୧୮ ମସିହାରେ ୫୪ ଗୋଟି ସ୍ୱତନ୍ତ୍ର ବିଦ୍ୟାଳୟ ରହିଥିବାବେଳେ ସମ୍ପ୍ରତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ସ୍ୱତନ୍ତ୍ର ବିଦ୍ୟାଳୟ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ତା’ ପରେ ମାନସିକ ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟରେ ପାଠ୍ୟକ୍ରମର ମାନ ନିର୍ଦ୍ଧାରଣ ପାଇଁ ଜାତୀୟ ମାନସିକ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ରାଷ୍ଟ୍ରୀୟ ସଂସ୍ଥାନ(NIEPID)ର ମିଳିତ ସହଯୋଗରେ ‘ଦିଶା’ ପାଠ୍ୟକ୍ରମ ସ୍ୱତନ୍ତ୍ର ସ୍କୁଲରେ ପ୍ରଦାନ କରାଯାଇଛି ଏବଂ ବିଧିବଦ୍ଧ ଭାବରେ ରାଜ୍ୟର ସମସ୍ତ ମାନସିକ ଭିନ୍ନକ୍ଷମ ସ୍କୁଲରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି।

‘Indian Scale for Assessment of Autism’ (ISAA) ଟୁଲ୍ ସମ୍ପର୍କରେ ସମସ୍ତ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଛି । ମାନସିକ ଭିନ୍ନକ୍ଷମମାନଙ୍କର ନିର୍ଭୁଲ ଆକଳନ ଓ ପ୍ରମାଣପତ୍ର ପ୍ରଦାନ ପାଇଁ ଓଡିଶାର ସମସ୍ତ ମେଡିକାଲ ବୋର୍ଡରେ ଥିବା ମନସ୍ତତ୍ଵବିତମାନଙ୍କୁ ‘Standardised Tool for Testing of Intelligence’ (SKT) ଟୁଲ୍ ସମ୍ପର୍କରେ ବିଧିବଦ୍ଧ ଭାବେ ତାଲିମ ପ୍ରଦାନ କରାଯିବା ସହିତ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ଏବଂ ଏଥିପାଇଁ ପ୍ରତ୍ୟେକ ଜିଲ୍ଲା ହେଡ଼କ୍ଵାଟର ହସ୍ପିଟାଲକୁ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ତରଫରୁ ମାଗଣାରେ ଟୁଲ କିଟ୍ ପ୍ରଦାନ କରାଯାଇଛି ।

ଏହାଛଡା ଅନ୍ତଃଦ୍ୟୋୟ ଗୃହ ଯୋଜନାରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଦିଆଯାଇ ଗୃହ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ଏବଂ ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ୨୦,୦୦୦ ଦିବ୍ୟାଙ୍ଗ ପରିବାରକୁ ଗୃହ ପ୍ରଦାନ କରାଯାଇଛି ।

୦ ରୁ ୬ ବର୍ଷର ଦିବ୍ୟାଙ୍ଗ ଶିଶୁମାନଙ୍କୁ ଅଙ୍ଗନବାଡ଼ି କର୍ମୀମାନଙ୍କ ମାଧ୍ୟମରେ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ କିପରି ଭାବରେ ସହଳ ଚିକିତ୍ସା ପ୍ରଦାନ କରାଯିବ,ସେଥିନିମନ୍ତେ ବିଧିବଦ୍ଧ ଖସଡ଼ା ପ୍ରସ୍ତୁତ କରାଯାଇଛି।

ଭାରତ ସରକାରଙ୍କ ତରଫରୁ ‘Ezy to Access’ ନାମକ ମୋବାଇଲ୍ ଆପ୍ ୨୦୨୫ ମସିହାରେ କାର୍ଯ୍ୟକାରୀ ହୋଇଛି, ଯାହା ମାଧ୍ୟମରେ ୩୦ଟି ଜିଲ୍ଲାରେ ୩୦୦ ରୁ ଅଧିକ ସରକାରୀ ବିଲ୍ଡିଂର ଆକ୍ସେସବିଲିଟି ଅଡିଟ୍ କରାଯାଇ ତାହାର ରିପୋର୍ଟ ମୁଖ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ନିକଟକୁ ପଠାଯାଇଛି ।

ନୃସିଂହ ଚରଣ ବେହେରା

ଦୃଷ୍ଟିବାଧିତ, ସାହିତ୍ୟିକ ଓ ଅବସରପ୍ରାପ୍ତ ଶିକ୍ଷକ

ପି ଡବ୍ଲ୍ୟୁ ଡି ଆକ୍ଟ -୨୦୧୬ରେ ଅନେକ ମଡିଫିକେଶସନ୍‌ ହେବାପରେ,ଅନେକ ଲାଭ ହେଇଛି । ଆଗରୁ ଯେଉଁଟା ଥିଲା ହ୍ୟାଣ୍ଡିକାପ୍ଟ ପାଇଁ ଯେଉଁ କାର୍ଡ ଦିଆଯାଉଥିଲା, ସେଥିରେ ଟିକେ ମଡିଫିକେଶସନ୍‌ ମଧ୍ୟ କରାଯାଇଛି । ତା’ର ସେକ୍ସନ୍‌ଗୁଡ଼ିକ ଅଧିକ ହେଇଯାଇଛି । କେତେଟା ବେନିଫିଟ୍ ମିଳୁଛି,ଯେଉଁଗୁଡାକ ଅନଲାଇନ୍‌ରେ ଟିକେଟ୍ ବୁକିଂଟା, ସେଇଟା ଏପର୍ଯ୍ୟନ୍ତ ସହଜରେ ହେଇ ପାରୁନି ।

ଜଣେ ଉଚ୍ଚ ଶିକ୍ଷିତ ଦୃଷ୍ଟିବାଧିତ ଭାବେ ଉପରେ ଆପଣଙ୍କର କ’ଣ ଉପଲବ୍ଧି ଅଛି ?

ନୃସିଂହ ଚରଣ ବେହେରା, ଦୃଷ୍ଟିବାଧିତ, ସାହିତ୍ୟିକ ଓ ଅବସରପ୍ରାପ୍ତ ଶିକ୍ଷକ

ସାଧାରଣ ଶିକ୍ଷା ସହିତ ଭିଜୁଆଲି ହ୍ୟାଣ୍ଡିକାପ୍ଟଙ୍କୁ ଇଣ୍ଡିଗ୍ରେଟ୍ କରି ଦେଉଛନ୍ତି,ସେଠି କିଛି ସେମିତି ସୁବିଧା ନାହିଁ । ରିସର୍ଚ୍ଚ ପର୍ଶନ ନାହାଁନ୍ତି । ନାଁକୁ ମାତ୍ର ଇନ୍‌କ୍ଲ୍ୟୁସିଭ୍ ଏଜୁକେସନ୍‌ କରି ଦେଉଛନ୍ତି । ସବୁ ସମାନ ହେଇଗଲା । ବ୍ରେଲ୍‌ ବହି ଦେଇ ଦେଉଛନ୍ତି । ତାହା କେହି ପଢିବାକୁ ନାହାଁନ୍ତି କି ପଢ଼େଇବାକୁ ନାହାଁନ୍ତି । ପ୍ରାୟ କ୍ଷେତ୍ରରେ ସେଇଟା ହେଉଛି । ଅଭିଯୋଗ ହେଉଛି,ଯେଉଁମାନେ ଫିଜିକାଲ୍‌ ହ୍ୟାଣ୍ଡିକାପ୍ଟ ନାଁରେ ଯୋଗ୍ୟତା ନାହିଁ,ସେମାନେ ହାତେଇକି କିଛି ବେନିଫିଟ୍ ପାଇ ଯାଉଛନ୍ତି । ଅନେକ ସମୟରେ ଯୋଗ୍ୟ ପିଲା ପାଉନାହାନ୍ତି  ।

ଦୃଷ୍ଟିବାଧିତମାନଙ୍କ ପାଇଁ ଏଥିରେ ଟିଚର୍, ଷ୍ଟୁଡେଣ୍ଟଙ୍କଠାରୁ ଆରମ୍ଭ କରି ଏମ୍ପ୍ଲଏଙ୍କ ପର୍ଯ୍ୟନ୍ତ ଓଡିଶାର ପର୍ଟିକୁଲାର୍ ଭିଆଇ ସେକ୍ସନ୍‌ରେ, ସେମାନେ କ’ଣ ବେନିଫିଟ୍ ପାଇଛନ୍ତି ?

ହ୍ୟାଣ୍ଡିକାପ୍ଟରେ କିଛି ପୋଷ୍ଟିଙ୍ଗ୍ ହେଇଯାଇଛନ୍ତି, ଭିଆଇ କୋଟାରେ, ସେଇ ଗୋଟିଏ । ଆଉ ବିଶେଷ କିଛି ହେଇନି । ପିଲାଙ୍କର ଯେଉଁମାନେ ପାଠ ପଢୁଛନ୍ତି, ସେମାନଙ୍କ ପାଇଁ କିଛି ସ୍ୱତନ୍ତ୍ରତା ନାହିଁ । ସମସ୍ତଙ୍କୁ ଷ୍ଟାଇପେଣ୍ଡ ଦିଆଯାଉଛି, ସେମାନଙ୍କୁ ଦିଆ ଯାଉଛି । ଆଗରୁ ରେକଡ଼ିଂ,ଟେପ୍ ରେକଡ଼ିଂ ଥିଲା,ଏବେ ତ ସେସବୁ ନାହିଁ । ଅନ୍‌ଲାଇନ୍‌ ସୁବିଧା ହେଇଗଲାଣି । ସେଥିରେ ଅସୁବିଧା ନାହିଁ । +୨ପରେ ବର୍ତ୍ତମାନ ବ୍ରେଲ୍‌ ବହି ହେଉନି, ଯଦି ହୁଅନ୍ତା ତେବେ ବିରାଟ ବିରାଟ ବହି ହୁଅନ୍ତା । ଏବେ ସପ୍ଟୱେୟାରରେ ସହଜରେ ଉପଲବ୍ଧ ହେଉଛି ସେସବୁ ।

ଦୀପ୍ତି ଦାସ, ଚଳନଶକ୍ତି ବଧିତା ବ୍ରାଣ୍ଡ ଆମ୍ବାସଡର ଓ ସଦସ୍ୟା, ଶିଶୁ ମଙ୍ଗଳ କମିଟି, ପୁରୀ

ଦୀପ୍ତି ଦାସ

ଚଳନଶକ୍ତି ବଧିତା
ବ୍ରାଣ୍ଡ ଆମ୍ବାସଡର ଓ ସଦସ୍ୟା, ଶିଶୁ ମଙ୍ଗଳ କମିଟି, ପୁରୀ

ଆମର ଆଜିକୁ ଦଶ ବର୍ଷ ହେଇଯିବ ଆର୍‌ପିଡିଡବ୍ଲ୍ୟୁଡ଼ି ଆକ୍ଟକୁ । ଯେତେବେଳେ ଏହି ଆକ୍ଟଟା ତିଆରି ହୋଇଥିଲା,ବହୁତ ସୁନ୍ଦର ଭାବରେ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ନେଇକି । ଯେଉଁମାନେ ଏ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି, ଯେଉଁ ଭିନ୍ନକ୍ଷମ ବ୍ୟକ୍ତିମାନେ ଅଛନ୍ତି, ସେମାନଙ୍କ ସହ ବହୁତ ଗୁଡିଏ ଅନୁଷ୍ଠାନ, ସରକାରଙ୍କ ଡିପାର୍ଟମେଣ୍ଟ, ଏନ୍‌ଜିଓ ସମସ୍ତଙ୍କୁ ନେଇକି ଏହି ଫ୍ରେମ୍‌ୱାର୍କ ହେଇକି ଷ୍ଟେଟରୁ ଡିଷ୍ଟିକ୍‌ ଓ ନେସନାଲ୍ ପର୍ଯ୍ୟନ୍ତ ପାର୍ଲାମେଣ୍ଟରେ ଆପ୍ରୁଭ୍ ହୋଇଛି । ଦେଖିବାକୁ ଗଲେ, ଆକ୍ଟଟି ସୁନ୍ଦର ଭାବରେ ତିଆରି ହୋଇଛି । ପୂର୍ବ ଆକ୍ଟ ଅପେକ୍ଷା ଏଥିରେ ବହୁତ ବଦଳିଛି । 

ଯେମିତି ଅନେକ ଧାରାଗୁଡିକୁ ଏଥିରେ ସଂଯୋଗ କରାଗଲା ଓ ଆସେସ୍‌ବିଲିଟିକୁ ଅଗ୍ରାଧିକାର ଦିଆଯାଇଛି । ୭ ରୁ ୨୧ ପ୍ରକାରକୁ ଡିଜାବିଲିଟି ସଂଖ୍ୟା ବଢିଲା ।

ଏବେ ଯଦି ଆମେ ଦେଖିବା, ଦଶ ବର୍ଷ ହେଇଗଲାଣି । ତା’ ଭିତରେ କିଛିଟା ଜାଗାରେ ଉନ୍ନତି ହେଇଛି, କିନ୍ତୁ ଯେଉଁ ମୁଖ୍ୟସ୍ରୋତରେ ଭିନ୍ନକ୍ଷମ ବ୍ୟକ୍ତିମାନେ ସାମିଲ ହେବା ପାଇଁ ଏଇ ଆକ୍ଟଟି ଆଗକୁ ଅଣାଗଲା, ତା’ ତୁଳନାରେ ୟା’ ଉପରେ ବହୁତ କାର୍ଯ୍ୟ କରିବାକୁ ଅଛି । ତାହା ଉଭୟ ସରକାରୀ ଆଉ ବେସରକାରୀ ସ୍ତରରେ । ଆଉ ଅଧିକ ସଚେତନତା ଦରକାର ହେଉଛି । ଛୋଟ ଉଦାହରଣଟିଏ ଦେଲେ, ଆସେକ୍ସବିଲିଟି ମାନେ ନୁହେଁ ଯେ କେଉଁଠି ଗୋଟେ ଛୋଟ ସାହାର୍ଯ୍ୟ କରିଦେଲେ,କେଉଁଠି ଗୋଟେ ସାଇନବୋର୍ଡ ଲଗେଇ ଦେଲେ,ସେତିକିକୁ ଯଦି ଆକ୍ଟ ଅନୁସାରେ ଧରିକି ଯିବା କି ପ୍ରତ୍ୟେକ ସରକାରୀ ବିଲିଡିଙ୍ଗଗୁଡ଼ିକ ହେଲା ବା ଇନଷ୍ଟିଚ୍ୟୁସନ୍‌ରେ ପୂରା ଆସେସ୍‌ବୁଲ୍‌ ହେବାକଥା । କିନ୍ତୁ ଆଜି ପର୍ଯ୍ୟନ୍ତ ଯେଉଁଟା କି ୧୯୯୫ରେ ହେଇଥିଲା, ପରେ ୨୦୧୬ରେ ହେଇଥିଲା । ପୁଣି ଦଶ ବର୍ଷ ହେଇଗଲାଣି, ଆଜି ପର୍ଯ୍ୟନ୍ତ ହେଇପାରି ନାହିଁ । ସେଇଟା ସବୁଠାରୁ ବଡ଼ ଦୁଃଖର ବିଷୟ । ଜଣେ ଭିନ୍ନକ୍ଷମ ବ୍ୟକ୍ତି ଯଦି ଆଗକୁ ଯିବାକୁ ଚାହିଁବ ତ କେମିତି ତା’ର ଡେଭଲପ୍ କରିବ । ଜଣେ ବ୍ୟକ୍ତି ନିଜକୁ ଘରୁ ବାହାର କରିବାଠାରୁ ଆରମ୍ଭ କରି ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଯଦି ତା’ ପାଇଁ ଟେକ୍ନୋଲୋଜି ଏକକ୍ସସବୁଲ୍ ନାହିଁ,ଇନ୍‌ଫରମେସନ୍‌ ଆସେସ୍‌ବୁଲ୍‌ ନାହିଁ,ଯଦି କିଛି ସୁବିଧା ନାହିଁ, ତେବେ ସେ କେମିତି ଯିବ ଆଗକୁ,ତେବେ ସେ କେଉଁ ଜାଗାରେ ପହଞ୍ଚିବ । ତାକୁ ଆମେ କେମିତି ସମାନ ଭାଗିଦାରିତା ଦେଇ ପାରିବା ।

ଦୀପକ କୁମାର ରାଉତ

ଚଳନଶକ୍ତି ବଧିତ
ଅବସରପ୍ରାପ୍ତ ଶିକ୍ଷକ, କେନ୍ଦ୍ରୀୟ ବିଦ୍ୟାଳୟ
ସାଲେପୁର, କଟକ

ଦୀପକ କୁମାର ରାଉତ ଜନ୍ମରୁ ଦିବ୍ୟାଙ୍ଗ। ପୋଲିଓ ପରବର୍ତ୍ତୀ ଅଙ୍ଗ ଅଚଳତା (Post-polio residual paralysis) କାରଣରୁ ୮୦% ଦିବ୍ୟାଙ୍ଗତା ଏବଂ ଆଶାବାଡ଼ି (crutches) ସାହାଯ୍ୟରେ ଚଲାବୁଲା ଓ କାର୍ଯ୍ୟ । ଶିକ୍ଷାଗତ ଯୋଗ୍ୟତା: ତିନୋଟି ବିଷୟରେ ସ୍ନାତକୋତ୍ତର (Master’s degree) ଶିକ୍ଷା -ଇଂରାଜୀ, ଅର୍ଥନୀତି ଏବଂ ଲୋକ ପ୍ରଶାସନ (Public Administration), ଏଲ.ଏଲ.ବି (LLB), ବି.ଏଡ୍ (B.Ed) ଏବଂ ମ୍ୟାନେଜମେଣ୍ଟରେ ଡିପ୍ଲୋମା । ୨୦୧୧ ମସିହାରେ ମାନ୍ୟବର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ କପିଲ ସିବଲଙ୍କଠାରୁ ‘କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଜାତୀୟ ପ୍ରୋତ୍ସାହନ ପୁରସ୍କାର’।

ଦୀପକ କୁମାର ରାଉତ, ଚଳନଶକ୍ତି ବଧିତ ଅବସରପ୍ରାପ୍ତ ଶିକ୍ଷକ, କେନ୍ଦ୍ରୀୟ ବିଦ୍ୟାଳୟ ସାଲେପୁର, କଟକ

ଏଥିସହ ୨୦୧୨ ମସିହାରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କଠାରୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରାପ୍ତ ।

ପ୍ର: ୨୦୧୬ ମସିହାରେ ପ୍ରଣୀତ ହୋଇଥିବା ନୂତନ ଆଇନ (RPWD Act)କୁ ଇତିମଧ୍ୟରେ ଦଶ ବର୍ଷ ପୂରିବାକୁ ଯାଉଛି। ଏହି ନୂତନ ଆଇନର କାର୍ଯ୍ୟକାରିତାକୁ ନେଇ ଆପଣଙ୍କର ମତାମତ କ’ଣ ?
ଉ: ଏହା ଅତି ଧୀର ଗତିରେ କାର୍ଯ୍ୟକାରୀ ହେଉଛି। ଲୋକମାନେ ଏହାକୁ ଏକ ପରିହାସ ଭାବରେ ନେଇଛନ୍ତି, କାରଣ ଯଦି ଏହା ଏକ ଅଧିକାର, ତେବେ ଏହାକୁ ସମ୍ମାନର ସହିତ କାର୍ଯ୍ୟକାରୀ କରାଯିବା ଉଚିତ। ଏହା କାହାର ଦୟା ବା ଅନୁକମ୍ପା ଉପରେ ନିର୍ଭରଶୀଳ ନୁହେଁ, ବରଂ ଏହା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଦିଆଯାଇଥିବା ଏକ କ୍ଷମତାର ଅଧିକାର। ସରକାର ଏବଂ ଅଧିକାରୀମାନଙ୍କର ମାନସିକତା ବଦଳିବା ଦରକାର।

ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପ୍ରତି ସାଧାରଣ ଲୋକଙ୍କର ଦୃଷ୍ଟିକୋଣ ବଦଳିବା ଆବଶ୍ୟକ, କାରଣ ସେମାନେ ଭିନ୍ନକ୍ଷମ ଏବଂ ଅନେକ କ୍ଷେତ୍ରରେ ସାଧାରଣ ଲୋକଙ୍କଠାରୁ ମଧ୍ୟ ଭଲ କାମ କରିପାରନ୍ତି । କିନ୍ତୁ ଅଧିକାରୀମାନଙ୍କର ମନୋଭାବରେ ପରିବର୍ତ୍ତନ ଆସିବା ଜରୁରୀ । ସେମାନେ ଏବେ ବି ଭାବୁଛନ୍ତି ଯେ ଦିବ୍ୟାଙ୍ଗମାନଙ୍କୁ କିଛି ଦୟା କରି ଦିଆଯାଉଛି। ଏଥିପାଇଁ ଅଧିକରୁ ଅଧିକ ସମ୍ବେଦନଶୀଳତା (sensitization) ଏବଂ ଜନସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ।

ଯେତେବେଳେ ମୁଁ ଚାକିରିରେ ଯୋଗ ଦେଇଥିଲି, ସେତେବେଳେ ମଧ୍ୟ ସମାନ ପରିସ୍ଥିତି ଥିଲା। ୧୯୯୫ ମସିହାରେ ପ୍ରଥମ ଆଇନ ଆସିଥିଲା। ସେତେବେଳେ ମଧ୍ୟ ମୁଁ ବିଭିନ୍ନ ବୈଠକ ଆୟୋଜନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲି। ସ୍ୱର୍ଗତ ଜାଭେଦ୍ ଆବିଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ‘ୱାର୍ଲ୍ଡ ସୋସିଆଲ୍ ଫୋରମ୍’ (World Social Forum)ରେ ଯୋଗଦେବା ପାଇଁ ମୁଁ ଓଡ଼ିଶାରୁ ମୁମ୍ବାଇ ଯାଇଥିଲି। ଜାଭେଦ୍ ଆବିଦି ମୋତେ ନିମନ୍ତ୍ରଣ କରିଥିଲେ ଏବଂ ଆମେ ସେଠାରେ ତିନି-ଚାରି ଦିନ ରହିଥିଲୁ। ମୋ ନିଜ କେନ୍ଦ୍ରୀୟ ବିଦ୍ୟାଳୟ ସଂସ୍ଥାରେ ମଧ୍ୟ ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ମୁଁ ଅନେକ ପଦକ୍ଷେପ ନେଇଥିଲି ।

ବର୍ତ୍ତମାନ ଜଣେ ଦିବ୍ୟାଙ୍ଗ ଅଧିକାର କର୍ମୀ ଭାବରେ ମୋର ଅଭିଜ୍ଞତାରୁ ଯଦି ଆପଣ ପଚାରନ୍ତି ଯେ ନୂତନ ଦିବ୍ୟାଙ୍ଗ ଆଇନ କାର୍ଯ୍ୟକାରୀ ହେବାର ଦଶ ବର୍ଷ ପରେ ମୋର ମତାମତ କ’ଣ? ତେବେ ମୁଁ କହିବି ଯେ ଏଥିପାଇଁ ଅଧିକ ସମ୍ବେଦନଶୀଳତା ଏବଂ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । କର୍ତ୍ତୃପକ୍ଷଙ୍କ ମନୋଭାବରେ ଆମୂଳଚୂଳ ପରିବର୍ତ୍ତନ ଆସିବା ଦରକାର । ବର୍ତ୍ତମାନ ଏହା ଅତି ଧୀର ଗତିରେ ବଦଳୁଛି, କିନ୍ତୁ ଏଥିରେ ତୀବ୍ର ପରିବର୍ତ୍ତନ ଆବଶ୍ୟକ। ଆଇନର କଡ଼ାକଡ଼ି ପାଳନ ହେବା ଉଚିତ, ଯାହାଫଳରେ କେହି ଦିବ୍ୟାଙ୍ଗମାନଙ୍କ ପ୍ରତି କେବଳ ସହାନୁଭୂତି ଦେଖାଇବା ଭଳି କାମ କରିବେ ନାହିଁ । ଏହା ଏକ ଆଇନ ଏବଂ ଏହାକୁ ଏହାର ପ୍ରକୃତ ଉଦ୍ଦେଶ୍ୟ ଓ ସମ୍ମାନର ସହିତ କାର୍ଯ୍ୟକାରୀ କରାଯିବା ଉଚିତ ।

ଅକ୍ଷୟ କୁମାର ଦାସ, ୫୫ ବର୍ଷ, ଚଳନଶକ୍ତି ବଧିତ କ୍ଷୁଦ୍ର ଉଦ୍ୟୋଗୀ, ଜୋଡା, କେନ୍ଦୁଝର

ଅକ୍ଷୟ କୁମାର ଦାସ

୫୫ ବର୍ଷ, ଚଳନଶକ୍ତି ବଧିତ
କ୍ଷୁଦ୍ର ଉଦ୍ୟୋଗୀ, ଜୋଡା, କେନ୍ଦୁଝର

କେବଳ ଆଇନ ପ୍ରଣୟନ କରିଦେଲେ ହେବ ନାହିଁ । ଆଇନର ସଠିକ୍ କାର୍ଯ୍ୟକାରିତା ତୃଣମୂଳ ସ୍ତରରେ ହେବା ଅତ୍ୟନ୍ତ ଜରୁରୀ  । ବିଶେଷକରି ଗ୍ରାମାଞ୍ଚଳ ଓ ବ୍ଲକ୍ ସ୍ତରରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କୁ ଦିବ୍ୟାଙ୍ଗ ଅଧିକାର ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ଉପଯୁକ୍ତ ତାଲିମ ଓ ସଚେତନତା ଦିଆଯିବା ଦରକାର। କାରଣ ସେଥିରେ ସେ ଦକ୍ଷ ନୁହଁନ୍ତି ।

 ସର୍ବସାଧାରଣ ସ୍ଥାନରେ ସୁଗମ୍ୟତା (Accessibility) ନିଶ୍ଚିତ କରାଯାଉ ।

ସରକାର କେବଳ ଶିକ୍ଷାନୁଷ୍ଠାନ, ମେଡିକାଲ୍, ସରକାରୀ କାର୍ଯ୍ୟାଳୟ କିମ୍ବା କୌଣସି କେନ୍ଦ୍ର ନିର୍ମାଣ କରିଦେଲେ ହେବ ନାହିଁ। ସେହି ସମସ୍ତ ସ୍ଥାନରେ ଦିବ୍ୟାଙ୍ଗମାନଙ୍କ ପାଇଁ ରାମ୍ପ୍ ଓ ଅନ୍ୟାନ୍ୟ ସୁଗମ୍ୟ ବ୍ୟବସ୍ଥା ରହିବା ଅତ୍ୟନ୍ତ ଆବଶ୍ୟକ । ଆଜି ମଧ୍ୟ ଅନେକ ସ୍କୁଲ୍, ମେଡିକାଲ୍ ଓ ସରକାରୀ କାର୍ଯ୍ୟାଳୟରେ ରାମ୍ପ୍ ବ୍ୟବସ୍ଥା ନାହିଁ। ଫଳରେ ଦିବ୍ୟାଙ୍ଗମାନେ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ଗୋଟିଏ ମାତ୍ର ଅଫିସ । ବ୍ଲକ କାର୍ଯ୍ୟାଳୟରେ ନିଜର ଅସୁବିଧା ଜଣାଇବା ପାଇଁ ଦିବ୍ୟାଙ୍ଗମାନଙ୍କ ପାଇଁ ଏହା ଏକ ସମସ୍ୟା । ତେଣୁ ଦିବ୍ୟାଙ୍ଗମାନେ ନିଜର ଅଭିଯୋଗ ଓ ସମସ୍ୟା ସହଜରେ ଜଣାଇପାରିବା ପାଇଁ ସ୍ଥାନୀୟ ସ୍ତରରେ ଏକ ସୁଦୃଢ଼ ବ୍ୟବସ୍ଥା ରହିବା ଆବଶ୍ୟକ ।

ୟୁଡିଆଇଡି କାର୍ଡ ପ୍ରକ୍ରିୟାକୁ ସରଳ କରାଯାଉ ।

ବର୍ତ୍ତମାନ ୟୁଡିଆଇଡି କାର୍ଡ ସମ୍ପର୍କରେ ନୂତନ ପ୍ରକ୍ରିୟା ଓ ପରିବର୍ତ୍ତନ ଯୋଗୁଁ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ହଇରାଣ ହେଉଛନ୍ତି । ସରକାର ଯଦି ଦିବ୍ୟାଙ୍ଗମାନଙ୍କ ସର୍ଭେ କରିବାକୁ ଚାହୁଁଛନ୍ତି,ତେବେ ସରକାରୀ କର୍ମଚାରୀମାନେ ନିଜେ ସେମାନଙ୍କ ଘରକୁ ଯାଇ ସର୍ଭେ କରିବା ଉଚିତ । ଦିବ୍ୟାଙ୍ଗମାନଙ୍କୁ ଦୂରଦୂରାନ୍ତରୁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଡକାଇ ହଇରାଣ କରିବା ଠିକ୍ ନୁହେଁ । ଦିବ୍ୟାଙ୍ଗମାନଙ୍କ ଯାତାୟାତ ଓ ସହାୟକ ଉପକରଣର ବ୍ୟବସ୍ଥା ନାହିଁ । ମୁଁ ନିଜେ ରାସ୍ତାକଡ଼ରେ ରହୁଥିବାରୁ ବର୍ଷାଜଳ ନିଷ୍କାସନ, ରାସ୍ତାଘାଟର ଅବ୍ୟବସ୍ଥା ଓ ଅନ୍ୟାନ୍ୟ ସମସ୍ୟାକୁ ନିକଟରୁ ଦେଖୁଛି । ଏହି ସମସ୍ୟାଗୁଡ଼ିକ ଦିବ୍ୟାଙ୍ଗମାନଙ୍କ ଯାତାୟାତକୁ ଅଧିକ କଷ୍ଟକର କରିଥାଏ । ତେଣୁ ରାସ୍ତା,ଫୁଟ୍‌ପାଥ୍,ସର୍ବସାଧାରଣ ପରିବହନ ଓ ସରକାରୀ କୋଠାଗୁଡ଼ିକୁ ଦିବ୍ୟାଙ୍ଗ ଅନୁକୂଳ କରିବା ଦରକାର ।

ଦିବ୍ୟାଙ୍ଗମାନଙ୍କୁ ସରକାରୀ ସେବା ଓ ରାସନ୍ ବଣ୍ଟନରେ ପ୍ରାଥମିକତା ଦିଆଯାଉ ।

ମୁଁ ନିଜ ଆଖିରେ ଦେଖିଛି ଯେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇ ନିଜର ଅଧିକାର ପାଇବାକୁ ଅପେକ୍ଷା କରୁଛନ୍ତି । ନିକଟରେ ମୁଁ ପ୍ରାୟ ୮୦ ବର୍ଷ ବୟସ୍କ ଜଣେ ବୃଦ୍ଧା ଦିବ୍ୟାଙ୍ଗ ମହିଳାଙ୍କୁ ରାସନ୍ ନେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିଥିଲି,ନା ଲୋକ ଆଗକୁ ଛାଡୁଥିଲେ, ନା କଣ୍ଟ୍ରୋଲ ଡିଲର ତାଙ୍କୁ ଶୀଘ୍ର ଦେଉଥିଲେ । ଏପରି ବ୍ୟକ୍ତିମାନଙ୍କୁ ଲମ୍ବା ଧାଡ଼ିରେ ଠିଆ କରାଇବା ପରିବର୍ତ୍ତେ ପ୍ରାଥମିକତା ଦିଆଯିବା ଉଚିତ ।

ବିପର୍ଯ୍ୟୟ ପରିଚାଳନାରେ ଦିବ୍ୟାଙ୍ଗମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ ।

ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଓ ଉଦ୍ଧାର ବ୍ୟବସ୍ଥା ରହିବା ଆବଶ୍ୟକ। ଏଥିପାଇଁ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରଗୁଡ଼ିକ ଦିବ୍ୟାଙ୍ଗମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବା ଉଚିତ।

ମୋର କହିବା କଥା ହେଉଛି, ଦିବ୍ୟାଙ୍ଗମାନଙ୍କ ପାଇଁ ଆଇନ ତିଆରି କରିଦେବା ଯଥେଷ୍ଟ ନୁହେଁ । ସେହି ଆଇନର ସୁଫଳ ସାଧାରଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ଦରକାର । ଆଜି ମଧ୍ୟ ତୃଣମୂଳ ସ୍ତରରେ ଅନେକ ସମସ୍ୟା ରହିଛି । ଏହାର ସମାଧାନ ପାଇଁ ସରକାରୀ କର୍ମଚାରୀଙ୍କୁ ସଚେତନ କରିବା ସହିତ ଆଇନର କଡ଼ାକଡ଼ି କାର୍ଯ୍ୟକାରିତା ହେବା ଆବଶ୍ୟକ । କେବଳ ସଚେତନତା ନୁହେଁ, ଆଇନର ପ୍ରକୃତ କାର୍ଯ୍ୟକାରିତା ହିଁ ଦିବ୍ୟାଙ୍ଗମାନଙ୍କୁ ସମ୍ମାନ, ସମାନତା ଓ ନ୍ୟାୟ ପ୍ରଦାନ କରିପାରିବ। ।

Leave a Reply

Your email address will not be published. Required fields are marked *

Related Posts