® ISSN : 3107-4979 | A Bilingual (Odia & English) Bimonthly Special Newspaper Covering News and Views on Disabilities | ® RNI Regd. No. ODIBIL/2016/67738

ଦିବ୍ୟାଙ୍ଗ ଅଧିକାର ଆଇନ ଭାରତ ବର୍ଷ ରେ ୨୭ ଡିସେମ୍ବର ୨୦୧୬ରେ ପ୍ରଣୀତ ହୋଇଥିଲା ଏବଂ ୧୯ ଏପ୍ରିଲ ୨୦୧୭ରୁ କାର୍ଯ୍ୟକାରୀ ହୋଇଥିଲା । ନଭେମ୍ବର ୨୦୨୬ ସୁଦ୍ଧା ଏହାର ପ୍ରଣୟନକୁ ପ୍ରାୟ ୧୦ ବର୍ଷ ହୋଇଥିବାବେଳେ ୧୯ ଏପ୍ରିଲ ୨୦୨୭ରେ କାର୍ଯ୍ୟକାରିତାକୁ ୧୦ ବର୍ଷ ପୂରଣ ହେବ । ଦିବ୍ୟାଙ୍ଗଜନ ଅଧିକାର ଆଇନ, ୨୦୧୬ (Rights of Persons with Disabilities Act) ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ମର୍ଯ୍ୟାଦା, ସମାନତା, ସ୍ୱାଧୀନତା ଓ ଅଂଶଗ୍ରହଣର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଏକ ଐତିହାସିକ ଆଇନ । ଏହି ପ୍ରବନ୍ଧରେ ମୁ ଆଇନ ର ତର୍ଜମା କରି ନାହିଁ ବରଂ ଗ୍ରାମାଞ୍ଚଳ ରେ ରହିଥିବା ଏକ ଦିବ୍ୟାଙ୍ଗ ବ୍ୟକ୍ତି ତଥା ଦିବ୍ୟଙ୍ଗ ସମୂହ ଙ୍କ ସହ କାର୍ଯ୍ୟକରୁଥିବା ଅନୁଭୂତି କୁ ନେଇ ତର୍ଜମା କରିବାର ପ୍ରୟାସ କରିଛି ।

ଯେ କୌଣସି ଅଧିକାର ଆପେ ଆପେ ଆସି ନ ଥାଏ । ଏହା ପଛ ରେ ଏକ ଲମ୍ବା ସଂଘର୍ଷ ଓ ଆନ୍ଦୋଳନ ର କାହାଣୀ ଥାଏ । ଦ୍ଵିତୀୟ ବିଶ୍ୱ ୟୁଦ୍ଧ ପରେ ସମଗ୍ର ପୃଥିବୀ ରେ ମାନବ ଅଧିକାର କୁ ନେଇ ଏକ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଏହି ଆନ୍ଦୋଳନ ର ଫଳ ସ୍ୱରୂପ ଜାତିସଂଘ ଦ୍ୱାରା 10 ଡିସେମ୍ବର 1948 ମସିହା ରେ ଏକ ସାର୍ବଜନୀନ ଘୋଷଣା ନାମ କୁ ଗୃହୀତ କରାଯାଇଥିଲା ଓ ଏହି ପ୍ରସ୍ତାବନା ଆଧାର ରେ ଜାତିସଂଘ ର ସଭ୍ୟ ରାଷ୍ଟ୍ର ଗୁଡିକ ମାନବ ଅଧିକାର,ମର୍ଯ୍ୟାଦା ,ମୂଲ୍ୟବୋଧ ,ପରୁଷ ଓ ମହିଳା ଙ୍କ ସମାନ ଧିକାର ପ୍ରତି ଆସ୍ଥା ଦର୍ଶାଇଥିଲେ । କିନ୍ତୁ ଦିବ୍ୟାଙ୍ଗଜନମାନେ ସମାଜରେ ବ୍ୟାପକ ଭେଦଭାବ, ଅବହେଳା ଓ ସାମାଜିକ ବାସନ୍ଦର ଶିକାର ହେଉଥିଲେ । ସେହି ସମୟରେ ଦିବ୍ୟାଙ୍ଗତାକୁ ଅନେକ ସମାଜରେ ଅଭିଶାପ, ଦୁର୍ଭାଗ୍ୟ କିମ୍ବା ବ୍ୟକ୍ତିଗତ ଅସମର୍ଥତା ଭାବେ ଦେଖାଯାଉଥିଲା । ଶିକ୍ଷା, ନିଯୁକ୍ତି, ସାର୍ବଜନୀନ ଜୀବନ ଓ ସାମାଜିକ ଅଂଶଗ୍ରହଣରୁ ସେମାନଙ୍କୁ ଦୂରେଇ ରଖାଯାଉଥିଲା । ଅନେକଙ୍କୁ ପରିବାର କିମ୍ବା ଅନୁଷ୍ଠାନର ଆଶ୍ରୟରେ ନିର୍ଭରଶୀଳ ଜୀବନ ବିତାଇବାକୁ ପଡୁଥିଲା। ଏହି ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ପାଇଁ ପରବର୍ତ୍ତୀ କାଳରେ ଦିବ୍ୟାଙ୍ଗଜନଙ୍କ ଅଧିକାରଭିତ୍ତିକ ଆନ୍ଦୋଳନ ଗଢ଼ିଉଠିଥିଲା ।

ବିଶେଷକରି ୧୯୬୦ ଓ ୧୯୭୦ ଦଶକରେ ଆମେରିକାରେ ନାଗରିକ ଅଧିକାର ଆନ୍ଦୋଳନର ପ୍ରଭାବରେ ଦିବ୍ୟାଙ୍ଗଜନଙ୍କ ଅଧିକାର ଆନ୍ଦୋଳନ ଏକ ନୂଆ ଦିଗ ପାଇଥିଲା । ଏହି ଆନ୍ଦୋଳନର ଅନ୍ୟତମ ପ୍ରମୁଖ ନେତା ଏଡ୍ ରବର୍ଟସ୍ (Ed Roberts) ଙ୍କ ନେତୃତ୍ୱରେ କାଲିଫର୍ଣ୍ଣିଆର ବର୍କଲେ ବିଶ୍ୱବିଦ୍ୟାଳୟରେ ‘Rolling Quads’ ନାମକ ଦିବ୍ୟାଙ୍ଗ ଛାତ୍ର ଗୋଷ୍ଠୀ ଗଠିତ ହୋଇଥିଲା । ଏହି ଗୋଷ୍ଠୀର ଉଦ୍ୟମରେ ୧୯୭୨ ମସିହାରେ ପ୍ରଥମ Center for Independent Living (CIL) ପ୍ରତିଷ୍ଠା ହୋଇଥିଲା। ଏହା ଦିବ୍ୟାଙ୍ଗଜନଙ୍କ ପାଇଁ କେବଳ ସେବା ପ୍ରଦାନକାରୀ ସଂସ୍ଥା ନଥିଲା, ବରଂ ନିଜ ଜୀବନର ନିଷ୍ପତ୍ତି ନିଜେ ନେବା, ସମାଜରେ ସମାନ ଭାବରେ ବଞ୍ଚିବା, ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପାଇବା ଏବଂ ନିଜ ଅଧିକାର ପାଇଁ ନିଜେ ଲଢ଼ିବାର ଏକ ନୂତନ ଦର୍ଶନ ଥିଲା। ଏହି ଆନ୍ଦୋଳନ ଦିବ୍ୟାଙ୍ଗଜନଙ୍କୁ ଦୟା ଓ ସହାନୁଭୂତିର ପାତ୍ର ଭାବରେ ନୁହେଁ, ବରଂ ସମାନ ଅଧିକାର ଓ ମର୍ଯ୍ୟାଦାର ଅଧିକାରୀ ନାଗରିକ ଭାବରେ ପ୍ରତିଷ୍ଠିତ କରିବାର ମାର୍ଗ ପ୍ରଶସ୍ତ କରିଥିଲା ।

ବିଶ୍ୱ ରେ ଦିବ୍ୟାଙ୍ଗ ଆନ୍ଦୋଳନ ପରେ ଧୀରେ ଧୀରେ ତିନୋଟି ପ୍ରମୁଖ ଦୃଷ୍ଟିଭଙ୍ଗୀ ଓ ବିଚାରଧାରା ର ପରିବର୍ତନ ହେବାକୁ ଲାଗିଲା । ପ୍ରଥମେ ଦିବ୍ୟାଙ୍ଗତା କୁ ଦାନ ଏବଂ କଲ୍ୟାଣ ଆଧାର ରେ ଏକ ଦୟା ର ପାତ୍ର ଭାବରେ ବିବେଚନା କରାଯାଉ ଥିଲା । ତାପରେ ଦିବ୍ୟାଙ୍ଗତା କୁ ଚିକିତ୍ସା ଓ ପୁନର୍ବାସ ଆଧାର ରେ ବିବେଚନା କରାଗଲା । ଏହି ଐତିହାସିକ ଆନ୍ଦୋଳନର ପରିଣାମ ସ୍ୱରୂପ ପରବର୍ତୀ ସମୟରେ ସାମାଜିକ ଓ ମାନବିକ ଅଧିକାର ଭାବରେ ବିବେଚନା କରାଗଲା ଏବଂ ପ୍ରଥମ ଥର ପାଇଁ ୨୦୦୧ ମସିହାରେ ମେକ୍ସିକୋର ରାଷ୍ଟ୍ରପତିଙ୍କ ପ୍ରସ୍ତାବ କ୍ରମେ ଜାତିସଂଘ ଏକ ବିଶେଷ କମିଟି (Ad Hoc Committee) ଗଠନ କରିଥିଲା। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ବିଭିନ୍ନ ଦେଶର ସରକାର, ଦିବ୍ୟାଙ୍ଗ ସଂଗଠନ ଓ ନାଗରିକ ସମାଜର ସକ୍ରିୟ ଅଂଶଗ୍ରହଣରେ ଏହି ଆନ୍ତର୍ଜାତୀୟ ଆଇନର ରୂପରେଖା ପ୍ରସ୍ତୁତ ହୋଇଥିଲା । ଶେଷରେ ୧୩ ଡିସେମ୍ବର ୨୦୦୬ରେ ଜାତିସଂଘର ୬୧ତମ ସାଧାରଣ ଅଧିବେଶନରେ ପ୍ରସ୍ତାବ ସଂଖ୍ୟା A/RES/61/106 ମାଧ୍ୟମରେ United Nations Convention on the Rights of Persons with Disabilities (UNCRPD) ଗ୍ରହଣ କରାଯାଇଥିଲା ଏବଂ ୩୦ ମାର୍ଚ୍ଚ ୨୦୦୭ରୁ ଏହା ସ୍ୱାକ୍ଷର ପାଇଁ ଉନ୍ମୁକ୍ତ ହୋଇଥିଲା। ୩ ମେ ୨୦୦୮ରେ ଏହା ଆନ୍ତର୍ଜାତୀୟ ଆଇନ ଭାବରେ କାର୍ଯ୍ୟକାରୀ ହୋଇଥିଲା। ଭାରତ ଏହି ଆନ୍ତର୍ଜାତିକ ଚୁକ୍ତିରେ 1 ଅକଟୋବର 2007 ରେ ସ୍ଵାକ୍ଷର କରିଥିଲା ଏବଂ 3ମେ 2008 ରେ ଭାରତ ରେ କାର୍ଯ୍ୟକ୍ଷମ ହୋଇଥିଲା । ଏହା ଏକବିଂଶ ଶତାବ୍ଦୀର ପ୍ରଥମ ବ୍ୟାପକ ଆନ୍ତର୍ଜାତୀୟ ମାନବାଧିକାର ଚୁକ୍ତିନାମା ଭାବରେ ଦିବ୍ୟାଙ୍ଗ ଅଧିକାର ଇତିହାସରେ ଏକ ନୂତନ ଯୁଗର ଆରମ୍ଭ କରିଥିଲା । କିନ୍ତୁ ତା ପୂର୍ବରୁ ଭାରତରେ ମଧ୍ୟ ଦିବ୍ୟାଙ୍ଗ ବ୍ୟକ୍ତି, ସଂଗଠନ ଓ ଅଧିକାର କର୍ମୀମାନଙ୍କର ଦୀର୍ଘ ସଂଘର୍ଷର ଫଳସ୍ୱରୂପ ୧୯୯୫ ମସିହାରେ Persons with Disabilities (Equal Opportunities, Protection of Rights and Full Participation) Act ପ୍ରଣୟନ ହୋଇଥିଲା।

(UNCRPD) ର ମୂଳ ନୀତିକୁ ଆଧାର କରି ଭାରତ ରେ ଦିବ୍ୟାଙ୍ଗ ଅଧିକାର ଆଇନ 2016 ମସିହା ରେ ପ୍ରଣୟନ କରାଗଲା ଏବଂ ରାଷ୍ଟ୍ରପତି ଙ୍କ ଅନୁମୋଦନ ପରେ 19 ଏପ୍ରିଲ 2017 ରୁ କାର୍ଯ୍ୟକାରୀ କରାଗଲା । ଆଇନରେ ଦିବ୍ୟାଙ୍ଗତାର ସ୍ୱୀକୃତ ବର୍ଗକୁ ୭ରୁ ବୃଦ୍ଧି କରି ୨୧ କରାଗଲା ତଥା ସରକାରୀ ଚାକିରିରେ ୪ ପ୍ରତିଶତ ଓ ଉଚ୍ଚଶିକ୍ଷାରେ ୫ ପ୍ରତିଶତ ସଂରକ୍ଷଣ, ସମାନତା, ଭେଦଭାବ ନିଷେଧ, ସୁଗମ୍ୟତା, ଶିକ୍ଷା, ନିଯୁକ୍ତି ଓ ରାଜନୈତିକ ଭାଗିଦାରୀ ଭଳି ଅଧିକାରକୁ ଏହା ଆଇନଗତ ଭିତ୍ତି ପ୍ରଦାନ କରାଗଲା ଓ ପ୍ରଥମ ଥର ଦିବ୍ୟାଙ୍ଗଟା କୁ ଏକ ମାନବ ଅଧିକାର ର ସ୍ୱୀକୃତି ମିଳିଲା ।

ଗତ ଦଶ ବର୍ଷ ଭିତରେ ଅନେକ କିଛି ପ୍ରଗତି ହୋଇଛି ,ଏକ ସୁରକ୍ଷା କବଚ ଦିବ୍ୟାଙ୍ଗ ସମାଜ କୁ ମିଳିଛି କିନ୍ତୁ ଆଜି ଦଶ ବର୍ଷର ଏହି ଯାତ୍ରାକୁ ମୂଲ୍ୟାୟନ କରିବା ସମୟରେ ଏକ ମୌଳିକ ପ୍ରଶ୍ନ ଉଠୁଛି: ଆଇନରେ ଯେଉଁ ଅଧିକାର ସୁନିଶ୍ଚିତ ହୋଇଛି, ସେହି ଅଧିକାର କ’ଣ ଜଣେ ସାଧାରଣ ଦିବ୍ୟାଙ୍ଗ ନାଗରିକଙ୍କ ଜୀବନରେ ବାସ୍ତବରେ ପହଞ୍ଚିପାରିଛି? ଆଇନର ଅସ୍ତିତ୍ୱ ଓ ଅଧିକାରର ବାସ୍ତବ ଉପଲବ୍ଧତା ମଧ୍ୟରେ ଥିବା ଦୂରତା ହିଁ ଏହି ଦଶନ୍ଧିର ସବୁଠାରୁ ବଡ଼ ସମୀକ୍ଷାର ବିଷୟ।

ପରିସଂଖ୍ୟାନ କ’ଣ କହୁଛି: ଅଧିକାର ଓ ବାସ୍ତବ ସ୍ଥିତି

ଆଇନର କାର୍ଯ୍ୟକାରିତାକୁ କେବଳ ଯୋଜନା, ଘୋଷଣା ଓ ବଜେଟ୍ ଆଧାରରେ ମାପିହେବ ନାହିଁ । ଏହାକୁ ଶିକ୍ଷା, ନିଯୁକ୍ତି, ସୁଗମ୍ୟତା, ସାମାଜିକ ସୁରକ୍ଷା ଓ ସ୍ୱାଧୀନ ଜୀବନରେ ଆସିଥିବା ପରିବର୍ତ୍ତନ ଆଧାରରେ ମାପିବା ଆବଶ୍ୟକ। ଅନ୍ୟ ପଟ ରେ ଦିବ୍ୟାଙ୍ଗ ଜନିତ କୌଣସି ସଠିକ ତଥ୍ୟ ନ ଥିବାରୁ ଏହାର ଆକଳନ ବହୁତ ସମୟ ରେ କଷ୍ଟକର ହୋଇଥାଏ ।

NSOର ୨୦୧୮ ଦିବ୍ୟାଙ୍ଗ ସର୍ବେକ୍ଷଣ (NSS ୭୬ତମ ରାଉଣ୍ଡ)

ସୂଚକ ପରିସଂଖ୍ୟାନ
୭ ବର୍ଷରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କ ସାକ୍ଷରତା ୫୨.୨%
୧୫ ବର୍ଷରୁ ଊର୍ଦ୍ଧ୍ୱଙ୍କ ମଧ୍ୟରେ ମାଧ୍ୟମିକ ଓ ତଦୁର୍ଦ୍ଧ୍ୱ ଶିକ୍ଷା ୧୯.୩%
୩–୩୫ ବର୍ଷ ବୟସରେ ସାଧାରଣ ବିଦ୍ୟାଳୟରେ କେବେ ନାମ ଲେଖାଇଥିବା ୬୨.୯%
ସରକାରୀ ସହାୟତା ପାଇଥିବା ୨୧.୮%
ଦିବ୍ୟାଙ୍ଗ ପ୍ରମାଣପତ୍ର ଥିବା ୨୮.୮%
ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୩.୮%
କର୍ମନିଯୁକ୍ତି ଅନୁପାତ ୨୨.୮%

ଏହି ପରିସଂଖ୍ୟାନରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ସାମ୍ନାକୁ ଆସୁଛି ।

ପ୍ରଥମତଃ, ଦିବ୍ୟାଙ୍ଗଙ୍କ ମଧ୍ୟରେ ଶିକ୍ଷାଗତ ଅନ୍ତର ଏବେ ବି ଗଭୀର। ଦ୍ୱିତୀୟତଃ, ନିଯୁକ୍ତି ଓ ଆର୍ଥିକ ସ୍ୱାବଲମ୍ବନର ସୁଯୋଗ ସୀମିତ। ତୃତୀୟତଃ, ସରକାରୀ ସହାୟତା ଓ ପ୍ରମାଣପତ୍ର ପାଇବାରେ ମଧ୍ୟ ଏକ ବଡ଼ ଅନ୍ତର ରହିଛି।

2018 ମସିହା ର ହିଁ ତଥ୍ୟ ବର୍ତମାନ 2026 ରେ ପ୍ରଯୁଜ୍ୟ ହୋଇ ନ ପାରେ କିନ୍ତୁ ବର୍ତ୍ତମାନ ସ୍ଥିତି ରେ ଅନେକ ତଥ୍ୟ ସର୍ବସାଧାରଣେ ରେ ଉପଲବ୍ଧ ନଥିବାରୁ ଏହାକୁ ଏକ ଭିତ୍ତି ରେଖା ଭାବେ ଉପସ୍ଥାପନା କରାଯାଇପାରିବ ।

RPwD ଆଇନର ୪୦ରୁ ୪୬ ପର୍ଯ୍ୟନ୍ତ ସୁଗମ୍ୟତା ସମ୍ପର୍କିତ ବ୍ୟବସ୍ଥା ଏକ ମୁଖ୍ୟ ଅଧିକାର । ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ପରିବହନ, ସୂଚନା ଓ ଯୋଗାଯୋଗ ବ୍ୟବସ୍ଥାକୁ ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ଉପଲବ୍ଧ କରିବା ଏହାର ଉଦ୍ଦେଶ୍ୟ \ କିନ୍ତୁ ସୁଗମ୍ୟ ତା ଅଛି ପ୍ରବେଶ ନାହିଁ । ତଥ୍ୟ ହିସାବ ରେ କେବଳ 1748 ରୁ 1835 ସର୍ବ ସାଧାରଣ ସ୍ଥାନ ଓ ସରକାରୀ ଦପ୍ତର ସୁଗମ୍ୟ କରାଯାଇପାରିଛି ଯାହା କି ମାତ୍ର 3 ପ୍ରତିଶତ ସେହିପରି ମାତ୍ର 30 ପ୍ରତିଶତ ବସ ସେବା କୁ ସୁଗମ୍ୟ କରାଯାଇ ପାରିଛି ।

ଧାରା ୧୬ ଓ ୧୭ ଅନୁସାରେ ସରକାରଙ୍କ ଉପରେ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ସମାବେଶୀ ଶିକ୍ଷାର ଦାୟିତ୍ୱ ରହିଛି। ଧାରା ୩୧ ଅନୁସାରେ ୬ରୁ ୧୮ ବର୍ଷ ବୟସର ବେଞ୍ଚମାର୍କ ଦିବ୍ୟାଙ୍ଗତା ଥିବା ଶିଶୁଙ୍କୁ ମାଗଣା ଶିକ୍ଷାର ଅଧିକାର ଦିଆଯାଇଛି।କିନ୍ତୁ ବିଦ୍ୟାଳୟରେ ନାମ ଲେଖାଇବା ପରେ ମଧ୍ୟ ଅନେକ ଶିଶୁ ଶ୍ରେଣୀଗୃହ, ଶୌଚାଳୟ, ପାଠ୍ୟପୁସ୍ତକ, ପ୍ରଶିକ୍ଷିତ ଶିକ୍ଷକ, ସାଙ୍କେତିକ ଭାଷା ଓ ଆବଶ୍ୟକ ସହାୟକ ଉପକରଣରୁ ବଞ୍ଚିତ ହେଉଛନ୍ତି। ନାମଲେଖା ହିଁ ଶିକ୍ଷା ଅଧିକାର ନୁହେଁ ଆଇନର ଧାରା ୩୪ ସରକାରୀ ନିଯୁକ୍ତିରେ ୪ ପ୍ରତିଶତ ସଂରକ୍ଷଣ ଓ ଧାରା ୩୨ ଉଚ୍ଚଶିକ୍ଷାନୁଷ୍ଠାନରେ ୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛି।କିନ୍ତୁ ସଂରକ୍ଷଣ ବ୍ୟବସ୍ଥାରେ ଅନେକ ପ୍ରଶ୍ନ ରହିଛି। କେତେ ପଦବୀ ଚିହ୍ନଟ ହୋଇଛି? କେତେ ପଦବୀ ପୂରଣ ହୋଇଛି? କେତେ ସେହିପରି ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ଷ୍ଟାଇପେଣ୍ଡ ଦେଇ ଆର୍ଥିକ ସ୍ୱାଧୀନତା ଦିଆଯାଉଥିବା କୁହାଯାଇପାରିବ ନାହିଁ ।

୧୨ ଅଗଷ୍ଟ ୨୦୨୫ରେ ଲୋକସଭାରେ ଦିଆଯାଇଥିବା ଏକ ଉତ୍ତରରେ କେନ୍ଦ୍ର ସରକାର ବ୍ୟାକ୍ଲଗ୍ ପଦବୀ ଚିହ୍ନଟ, ତାହାର କାରଣ ଅନୁଧ୍ୟାନ ଓ ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନର ଆବଶ୍ୟକତା ସ୍ୱୀକାର କରିଛନ୍ତି। ଅର୍ଥାତ୍ ସଂରକ୍ଷଣର ଆଇନଗତ ବ୍ୟବସ୍ଥା ଥିଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ଉପଯୋଗ ନିଶ୍ଚିତ ହୋଇନାହିଁ ।

ଧାରା ୨୪ ଓ ୨୫ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପୁନର୍ବାସ ସମ୍ପର୍କିତ ଦାୟିତ୍ୱ ନିର୍ଦ୍ଧାରଣ କରିଛି। କିନ୍ତୁ ଅନେକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପେନସନ୍, ଚିକିତ୍ସା, ସହାୟକ ଉପକରଣ, ଯାତାୟାତ ଓ ଥଇଥାନ ସୁବିଧା ପାଇଁ ଦୀର୍ଘ ପ୍ରଶାସନିକ ପ୍ରକ୍ରିୟା ଦେଇ ଯିବାକୁ ପଡ଼ୁଛି।ସାମାଜିକ ସୁରକ୍ଷା: ଅନୁକମ୍ପା ନୁହେଁ, ଅଧିକାର ଦିବ୍ୟାଙ୍ଗତାର ମାତ୍ରା, ଆୟ, ପ୍ରମାଣପତ୍ର, ବୟସ ଓ ଅନ୍ୟାନ୍ୟ ସର୍ତ୍ତକୁ ନେଇ ବିଭିନ୍ନ ଯୋଜନାରେ ଥିବା ଭିନ୍ନତା ଯୋଗୁଁ ଅନେକ ଯୋଗ୍ୟ ବ୍ୟକ୍ତି ସହାୟତାରୁ ବଞ୍ଚିତ ହେଉଛନ୍ତି।ସେହିପରି ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ଷ୍ଟାଇପେଣ୍ଡ ଦେଇ ଆର୍ଥିକ ସ୍ୱାଧୀନତା ଦିଆଯାଉଥିବା କୁହାଯାଇପାରିବ ନାହିଁ ଦିବ୍ୟାଙ୍ଗଙ୍କ ଅଧିକାର କେବଳ ପେନସନ୍, ଚିକିତ୍ସା ଓ ଚାକିରି ମଧ୍ୟରେ ସୀମିତ ନୁହେଁ। ନୀତି ନିର୍ଦ୍ଧାରଣ, ଗ୍ରାମସଭା, ପଞ୍ଚାୟତ, ପୌରସଂସ୍ଥା ଓ ସରକାରୀ ନିଷ୍ପତ୍ତି ଗ୍ରହଣରେ ସେମାନଙ୍କର ସକ୍ରିୟ ଭାଗିଦାରୀ ଆବଶ୍ୟକ ।

ଯଦି ଗ୍ରାମସଭାରେ ହୁଇଲ ଚେୟାର ଯାଇପାରୁନାହିଁ, ସଭାର ସୂଚନା ସାଙ୍କେତିକ ଭାଷା ବା ସୁଗମ୍ୟ ଡିଜିଟାଲ୍ ମାଧ୍ୟମରେ ମିଳୁନାହିଁ, ତେବେ ଗଣତନ୍ତ୍ରରେ ସମାନ ଅଂଶଗ୍ରହଣ କେମିତି ସମ୍ଭବ? ଜଣେ ଦିବ୍ୟାଙ୍ଗ ଙ୍କୁ ହୁଇଲ ଚେୟାର ଦେଇଦେଲେ ସୁଗମ୍ୟ ତା ର ଅଧିକାର ପୁରଣ ହୋଇପାରିବ କି,ଯଦି ରାସ୍ତା ରେ ହୁଇଲ ଚେୟାର ଯାଇ ନ ପାରିଲ ।

ଦିବ୍ୟାଙ୍ଗଙ୍କ ପାଇଁ ନୀତି ତିଆରି ହେବା ସମୟରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମତାମତ ଓ ନେତୃତ୍ୱକୁ ପ୍ରାଥମିକତା ଦେବା ଆବଶ୍ୟକ ।

RPwD ଆଇନରେ କେନ୍ଦ୍ରୀୟ ଓ ରାଜ୍ୟ ପରାମର୍ଶଦାତା ବୋର୍ଡ, ରାଜ୍ୟ ଦିବ୍ୟାଙ୍ଗ କମିଶନର, ଜିଲ୍ଲାସ୍ତରୀୟ କମିଟି, ସ୍ୱତନ୍ତ୍ର ଅଦାଲତ ଓ ସ୍ୱତନ୍ତ୍ର ସରକାରୀ ଓକିଲଙ୍କ ବ୍ୟବସ୍ଥା ରହିଛି । କିନ୍ତୁ ଏହି ବ୍ୟବସ୍ଥାଗୁଡ଼ିକର ଗଠନ, ନିୟମିତ କାର୍ଯ୍ୟ ଓ ନିରୀକ୍ଷଣ ସବୁ ରାଜ୍ୟରେ ସମାନ ନୁହେଁ ।

୨୦୨୫ ମସିହାରେ ଲୋକସଭାରେ ଦିଆଯାଇଥିବା ଉତ୍ତର ଅନୁସାରେ, ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରୀୟ ପରାମର୍ଶଦାତା ବୋର୍ଡର ସାତଟି ବୈଠକ ହୋଇଥିଲା । ସେହି ଉତ୍ତରରେ ଦିବ୍ୟାଙ୍ଗଙ୍କ ପାଇଁ ମୁଖ୍ୟ କମିଶନରଙ୍କ ପଦବୀ ଅତିରିକ୍ତ ଦାୟିତ୍ୱରେ ଥିବା ଏବଂ କେତେକ କମିଶନର ପଦବୀରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା କଥା ମଧ୍ୟ ଉଲ୍ଲେଖ ହୋଇଥିଲା।ଆଇନ କାର୍ଯ୍ୟାନ୍ୱୟନର ବ୍ୟବସ୍ଥାଗତ ଦୁର୍ବଳତା ଏହି ଅଧିକାର କୁ ସାବ୍ୟସ୍ତ କରିବାରେ ଅନ୍ତରାୟ ହୋଇଥାଏ ଏହା ଦର୍ଶାଏ ଯେ ଆଇନରେ ଥିବା ନିରୀକ୍ଷଣ ଓ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ଆବଶ୍ୟକ ।

2026 ସୁଦ୍ଧା ଭାରତରେ 1.44 crore UDID କାର୍ଡ ଜାରି ହୋଇଛି । ଡାକ୍ତରୀ ବିଶେଷଜ୍ଞଙ୍କ ଅଭାବ, ଅନୁମୋଦିତ ହସ୍ପିଟାଲର ସଂଖ୍ୟା କମ୍, ଆବେଦନ ବିଚାରରେ ବିଳମ୍ବ ଓ ସଚେତନତାର ଅଭାବକୁ ପ୍ରମୁଖ ସମସ୍ୟା ଭାବେ ଚିହ୍ନଟ କରାଯାଇଛି ।

ଏଠାରେ ମଧ୍ୟ ଏକ ବଡ଼ ପ୍ରଶ୍ନ ରହିଛି। UDID କାର୍ଡ ଜାରି ହେବାର ସଂଖ୍ୟା ହିଁ କି ଦିବ୍ୟାଙ୍ଗଙ୍କ ସଶକ୍ତୀକରଣର ପ୍ରମାଣ? ଏହି କାର୍ଡ ମାଧ୍ୟମରେ କେତେ ଜଣ ପ୍ରକୃତରେ ଶିକ୍ଷା, ନିଯୁକ୍ତି, ପେନସନ୍, ସ୍ୱାସ୍ଥ୍ୟସେବା ଓ ସୁଗମ୍ୟତାର ସୁବିଧା ପାଇଛନ୍ତି, ତାହାର ମଧ୍ୟ ହିସାବ ରହିବା ଆବଶ୍ୟକ।

କିନ୍ତୁ ଆଇନ ପ୍ରଣୟନ ହେବା ମାତ୍ରେ ଅଧିକାର ସୁନିଶ୍ଚିତ ହୋଇଯାଏ ନାହିଁ । ଏହାର ପ୍ରକୃତ ପରୀକ୍ଷା ହେଉଛି ଏହାର କାର୍ଯ୍ୟକାରିତା, ସରକାରୀ ବ୍ୟବସ୍ଥାର ଉତ୍ତରଦାୟିତ୍ୱ ଏବଂ ଅଧିକାରରୁ ବଞ୍ଚିତ ଲୋକଙ୍କ ପାଇଁ ନ୍ୟାୟ ପ୍ରାପ୍ତି। ନିଯୁକ୍ତିରେ ସଂରକ୍ଷଣ, ଶିକ୍ଷା, ସୁଗମ୍ୟତା, ସାମାଜିକ ସୁରକ୍ଷା, ରାଜନୈତିକ ଅଂଶଗ୍ରହଣ ଓ ଭେଦଭାବମୁକ୍ତ ଜୀବନ ଭଳି ବିଭିନ୍ନ ପ୍ରସଙ୍ଗରେ ଏହି ଆଇନର ବ୍ୟବସ୍ଥାକୁ ନେଇ ନ୍ୟାୟାଳୟରେ ଆଇନଗତ ଆହ୍ୱାନ ଓ ବିଚାରବିମର୍ଶ ହେବା ଆବଶ୍ୟକ । କାରଣ, ନ୍ୟାୟାଳୟର ରାୟ ଓ ଆଇନର ବ୍ୟାଖ୍ୟା ହିଁ ଅନେକ ସମୟରେ ଆଇନର ଉଦ୍ଦେଶ୍ୟକୁ ଅଧିକ ସ୍ପଷ୍ଟ, ବ୍ୟାପକ ଓ ଲୋକାଭିମୁଖୀ କରିଥାଏ। ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ଅଧିକାର ଧାରା 92 ଧାରା ହିସାବ ରେ ଅପମାନଜନକ ଆଚରଣ ପାଇଁ ଦଣ୍ଡର ବ୍ୟବସ୍ଥା ରହିଥିଵା ବେଳେ କେତେ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଆଇନ ର ଦ୍ୱାରସ୍ଥ ହୋଇଛନ୍ତି । ଏହି ଆଇନର ଧାରା 92(କ) ଅନୁଯାୟୀ , ଯଦି କୌଣସି ବ୍ୟକ୍ତି କୌଣସି ସାର୍ବଜନୀନ ସ୍ଥାନରେ କୌଣସି ଅକ୍ଷମ ବ୍ୟକ୍ତିଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଅପମାନିତ କରନ୍ତି କିମ୍ବା ଭୟଭୀତ କରନ୍ତି କିମ୍ବା ଅପମାନିତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରନ୍ତି ତେବେ ଏହା ଏକ ଅପରାଧ।ଏହି ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ : ସର୍ବନିମ୍ନ 6 ମାସରୁ ସର୍ବାଧିକ 5 ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଆର୍ଥିକ ଦଣ୍ଡ (ଜରିମାନା) ମଧ୍ୟ ପ୍ରାବଧାନ ଅଛି ଏକ ଆଇନର ପ୍ରକୃତ ପ୍ରାସଙ୍ଗିକତା କେବଳ ତାହାର ପୁସ୍ତକଗତ ଅସ୍ତିତ୍ୱରେ ନୁହେଁ, ବରଂ ନିଜ ଅଧିକାର ପାଇଁ ତାହାକୁ କେତେ ଦୃଢ଼ତାର ସହ ବ୍ୟବହାର କରୁଛନ୍ତି, ତାହାର ଉଲ୍ଲଂଘନକୁ ନ୍ୟାୟାଳୟରେ ଆହ୍ୱାନ କରୁଛନ୍ତି ଏବଂ ନ୍ୟାୟାଳୟର ରାୟ ମାଧ୍ୟମରେ ତାହାର ବ୍ୟାଖ୍ୟା ଓ ପରିସରକୁ କିପରି ବିକଶିତ କରୁଛନ୍ତି, ସେଥିରେ ନିହିତ ରହିଛି ।

ଉପସଂହାର: ଆଇନ କେବଳ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏକ ଅଧିକାର ପତ୍ର ନୁହେଁ; ଏହା ନାଗରିକଙ୍କ ଦ୍ୱାରା ବ୍ୟବହୃତ, ନ୍ୟାୟାଳୟରେ ପରୀକ୍ଷିତ ଏବଂ ନ୍ୟାୟିକ ବ୍ୟାଖ୍ୟା ଦ୍ୱାରା ବିକଶିତ ହେଉଥିବା ଏକ ଜୀବନ୍ତ ଉପକରଣ। ଯେଉଁ ଆଇନକୁ ଲୋକେ ନିଜ ଅଧିକାର ପାଇଁ ବ୍ୟବହାର କରନ୍ତି ନାହିଁ, ସେହି ଆଇନ କେବଳ ପୁସ୍ତକରେ ସୀମିତ ରହିଯାଏ; ଯେଉଁ ଆଇନକୁ ଲୋକେ ନ୍ୟାୟାଳୟରେ ଆହ୍ୱାନ କରନ୍ତି, ସେହି ଆଇନ ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମରେ ପରିଣତ ହୁଏ। ତେଣୁ RPwD Actକୁ ଏକ ଜୀବନ୍ତ ଅଧିକାର ଆନ୍ଦୋଳନର ଆଇନଗତ ଅସ୍ତ୍ର ଭାବରେ ବ୍ୟବହାର କରିବା ଆଜିର ସମୟର ଆବଶ୍ୟକତା ।

 

ଏହି ଦଶନ୍ଧିର ସମୀକ୍ଷା ଆମକୁ ଗୋଟିଏ କଥା ଶିଖାଏ: ଅଧିକାର କୁ ସାବ୍ୟସ୍ତ କରିବାକୁ ପଡେ । ଅନ୍ୟପଟ ରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର (RPwD) ଆଇନ, ୨୦୧୬ ଆଇନକୁ ଲୋକପ୍ରିୟ କରିବା ଏବଂ ଜନସଚେତନତା ସୃଷ୍ଟି କରିବା ପାଇଁ , ଧାରା 39 ରେ : ଉପଯୁକ୍ତ ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟ ପ୍ରଦାନ କରେ ।

ଶ୍ରୀ ଉମେଶ ଚନ୍ଦ୍ର ପୁରୋହିତ

ଆବାହକ
ଓଡିଶା ଷ୍ଟେଟ ଡ଼ିସେବିଲିଟି ନେଟୱର୍କ

ଶ୍ରୀ ଉମେଶ ଚନ୍ଦ୍ର ପୁରୋହିତ

Leave a Reply

Your email address will not be published. Required fields are marked *

Related Posts